ନୂଆଦିଲ୍ଲୀ: ବକେୟା ଋଣ ଆଦାୟ ପାଇଁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନସନର ୫୦ ପ୍ରତିଶତରୁ ଅଧିକ ନ କାଟିବାକୁ କର୍ଣ୍ଣାଟକ ହାଇକୋର୍ଟ କାନାରା ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପେନସନ ଅବସରପ୍ରାପ୍ତ ଲୋକଙ୍କ ପାଇଁ ଏକ ଆର୍ଥିକ ସୁରକ୍ଷା ଭାବରେ କାର୍ଯ୍ୟ କରେ ଏବଂ ଠକେଇ, ଜାଲିଆତି କିମ୍ବା ଅସଦାଚରଣ ମାମଲା ବ୍ୟତୀତ ଏହାକୁ ସମ୍ପୂର୍ଣ୍ଣ ଭାବରେ ଋଣ ପରିଶୋଧ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ।
ରାୟ ଶୁଣାଇବା ସମୟରେ ଜଷ୍ଟିସ୍ ଏସଜି ପଣ୍ଡିତ କହିଥିଲେ ଯେ ବ୍ୟାଙ୍କଗୁଡ଼ିକର ପାଉଣା ଆଦାୟ କରିବାର ଆଇନଗତ ଅଧିକାର ଅଛି, କିନ୍ତୁ ସେମାନଙ୍କୁ ପେନସନଭୋଗୀଙ୍କ ସୁରକ୍ଷା ଦେଉଥିବା ନିୟମ ପାଳନ କରିବା ଉଚିତ। ସେ କହିଛନ୍ତି ଯେ ପେନସନଭୋଗୀଙ୍କ ଆର୍ଥିକ ସ୍ଥିରତା ଅତ୍ୟନ୍ତ ଜରୁରୀ ଏବଂ ଋଣ ପରିଶୋଧ କରିବା ପାଇଁ ସେମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ପେନସନ ଦେବାକୁ ବାଧ୍ୟ କରିବା ଭାରତୀୟ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ ହେବ।
ଏହି ମାମଲାଟି କାନାରା ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏବଂ ବର୍ତ୍ତମାନ କେରଳର ତ୍ରିସୁରରେ ରହୁଥିବା ୭୦ ବର୍ଷୀୟ ମୁରୁଗନ କୋର୍ଟରେ ଦାଖଲ କରିଥିଲେ। ମୁରୁଗାନ ନଭେମ୍ବର ୩୦, ୨୦୧୪ରେ ଅବସର ନେଇଥିଲେ ଏବଂ ତାଙ୍କ ପେନସନର ଏକ ଅଂଶରୁ ନିୟମିତ ଭାବରେ ତାଙ୍କର ଋଣ ଇଏମଆଇ ପୈଠ କରିଆସୁଛନ୍ତି। ତଥାପି, ଜୁଲାଇ ୨୦୨୪ରୁ, କାନାରା ବ୍ୟାଙ୍କ ତାଙ୍କ ସମସ୍ତ ପେନସନରୁ ବକେୟା ଟଙ୍କା କାଟିବା ଆରମ୍ଭ କଲା, ଯେଉଁଥିପାଇଁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ |
ଏନେଇ କାନାରା ବ୍ୟାଙ୍କ ଯୁକ୍ତି ଦେଇଥିଲା ଯେ ମୁରୁଗାନଙ୍କ ଉପରେ ୮.୫ ଲକ୍ଷ ଟଙ୍କା ଋଣ ଥିଲା। ବ୍ୟାଙ୍କ କହିଛି ଯେ ବକେୟା ରାଶି ଆଦାୟ କରିବାର ଅଧିକାର ଏହାର ଅଛି। ତଥାପି, କୋର୍ଟ ରାୟ ଦେଇଛନ୍ତି ଯେ ଋଣ ଆଦାୟ ପାଇଁ ବ୍ୟାଙ୍କ ତାଙ୍କ ପେନସନର କେବଳ ୫୦ ପ୍ରତିଶତ କାଟିପାରିବ।