ଏଥର ନିର୍ବାଚନ ହେବ ହାଇଟେକ୍ : ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେବ ନୂଆ ଜ୍ଞାନକୌଶଳ

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ ଗଣତନ୍ତ୍ରିକ ରାଷ୍ଟ୍ର ଭାରତରେ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ୧୭ ତମ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ୍ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବ ମତଗଣନା । ତେବେ ଚଳିତ ଥର ମୋଟ ୯୦ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଥିବା ବେଳେ ମୋଟ ୧୦ ଲକ୍ଷ ବୁଥରେ ହେବ ମତଦାନ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚଳିତ  ନିର୍ବାଚନ ହାଇଟେକ୍ .ହେବ।

 ବୁଥରେ ଭୋଟଗ୍ରହଣ ଠାରୁ ଆରମ୍ଭ କରି ମତଗଣନା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ସହ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।  ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ କରିବାକୁ ସୋସିଆଲ ମିଡିଆ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ନିର୍ବାଚନ କମିସନର।  ପ୍ରତ୍ୟେକ ପ୍ରାର୍ଥୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତି ବୁଥରେ ଭିଭିପାଟର ବ୍ୟବହାର କରାଯିବ । ଏହାସହ ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ରହିବା ସହ ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯିବ ଏବଂ ପୂରା ନିର୍ବାଚନ ପ୍ରକିୟାର ଭିଡ଼ିଓଗ୍ରାଫି କରାଯିବ ।

ଏସବୁ ବ୍ୟତୀତ ସାଧାରଣ ନିର୍ବାଚନ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ । ଟୋଲ ଫ୍ରି ନମ୍ବର ୧୯୫୦ରେ କଲ କରି ସମସ୍ତ ତଥ୍ୟ ପାଇପାରିବେ ଭୋଟର । ଏହାସହ ନିର୍ବାଚନକୁ ନେଇ କୌଣସି ଅଭିଯୋଗ ଦାଖଲ କରିବାକୁ ଏକ୍ ଆପ୍ ଲଞ୍ଚ କରାଯାଇଛି । ଯେଉଁଥିରେ କୌଣସି ଭୋଟର ନିର୍ବାଚନକୁ ନେଇ ଅଭିଯୋଗ କଲେ, ଅଭିଯୋଗର ୧୦୦ ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାଛଡା ପୋଲିଂ ଅଫିସରଙ୍କ ଗାଡିରେ ପ୍ରଥମଥର ପାଇଁ ଜିପିଏସ ଲାଗିବ, ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସୁନୀଲ ଅରୋରା ।

ସମ୍ବନ୍ଧିତ ଖବର