ରାଉରକେଲା: ମଙ୍ଗଳବାରରୁ ପୁରୁଷ ହକି ପ୍ରୋ-ଲିଗ୍‌ ବିର୍ସାମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବେଲଜିୟମ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିବାବେଳେ ବୁଧବାର ଭାରତ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆୟୋଜକ ଭାରତ ଏହି ଲିଗ୍‌ର ସ୍ବଦେଶୀ ପର୍ଯ୍ୟାୟରେ ବେଲଜିୟମ ଓ ଆର୍ଜେଣ୍ଟିନା ସହିତ ମୁକାବିଲା କରିବ, ଯେଉଁଥିରେ କଡ଼ା ଟକ୍କର ଦେଖିବାକୁ ମିଳିବାର ସମ୍ଭାବନା ରହିଛି।

Advertisment

ଭାରତୀୟ ଦଳ ପୂର୍ବ ସଂସ୍କରଣରେ ଅଷ୍ଟମ ସ୍ଥାନ ଅଧିକାର କରିବାପରେ, ଚଳିତବର୍ଷ ଅଭିଯାନକୁ ଦୃଢ଼ ବିଜୟରୁ ଆରମ୍ଭ କରିବା ତଥା ଘରୋଇ ଦର୍ଶକଙ୍କ ସମ୍ମୁଖରେ ପ୍ରାରମ୍ଭିକ ବିଜୟ ଗତିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିବ। ଅଭିଜ୍ଞ ଆନ୍ତର୍ଜାତୀୟ ଖେଳାଳି ଓ ଉଦୀୟମାନ ଯୁବପ୍ରତିଭାର ସନ୍ତୁଳିତ ମିଶ୍ରଣବିଶିଷ୍ଟ ଦଳ, ବିଶ୍ୱର ଦୁଇଟି ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ସହିତ ମୁକାବିଲା କରିବା ସମୟରେ ପରିଚିତ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଆର୍ଜେଣ୍ଟିନା ୪ଟି ବିଜୟ ସହ ବର୍ତ୍ତମାନ ୧୧ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବେଲଜିୟମ ୪ଟି ମ୍ୟାଚ୍‌ରୁ ୩ ବିଜୟ ସହ ୧୦ ପଏଣ୍ଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି।

ଚଳିତ ସଂସ୍କରଣରେ ଭାରତ ବୁଧବାର ବେଲଜିୟମ ଓ ୧୨ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ। ତେବେ ୧୫ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଶେଷ କରିବା ପୂର୍ବରୁ ୧୪ ତାରିଖରେ ପୁଣିଥରେ ବେଲଜିୟମ ସହ ମୁକାବିଲା କରିବ। ତେବେ ନିକଟ ଇତିହାସକୁ ଦେଖିଲେ ଭାରତ ବିପକ୍ଷରେ ବେଲଜିୟମ୍‌ର ପଲ୍ଲା ଭାରି ଅଛି। ଗତ ୨୦୧୩ରୁ ଏପର୍ଯ୍ୟନ୍ତ, ଉଭୟ ଦଳ ମୋଟ୍‌ ୩୫ ଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରୁ ବେଲଜିୟମ ୨୨ଟି ମ୍ୟାଚ୍ ଜିତିଥିବାବେଳେ ଭାରତ ୧୧ଟି ଜିତିଛି ଏବଂ ୨ଟି ମ୍ୟାଚ୍‌ ଅମୀମାଂସିତ ରହିଛି। ଅପରପକ୍ଷରେ ଆର୍ଜେଣ୍ଟିନା ବିପକ୍ଷରେ ଭାରତର ସୁଦୃଢ଼ ରେକର୍ଡ ରହିଛି। ୨୦୧୩ ପରଠାରୁ ଉଭୟ ଦଳ ମୋଟ୍‌ ୧୯ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବାବେଳେ ଭାରତ ୧୦ଟି ଓ ଆର୍ଜେଣ୍ଟିନା ୭ଟି ଜିତିଛି ଏବଂ ୨ଟି ଅମୀମାଂସିତ ରହିଛି।

ପ୍ରଥମ ମ୍ୟାଚ୍‌ରେ ବେଲ୍‌ଜିୟମର ବାଜିମାତ୍‌
ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ପର୍ଯ୍ୟାୟ ପ୍ରୋଲିଗ୍‌ର ପ୍ରଥମ ମ୍ୟାଚ୍‌ ବେଲ୍‌ଜିୟମ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଉଭୟ ଦଳର ଖେଳାଳି ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ପ୍ରଥମ ତିନି କ୍ବାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ‌ଶେଷ କ୍ବାର୍ଟରରେ ବେଲ୍‌ଜିୟମ ଚମତ୍କାର ପ୍ରତ୍ୟାବର୍ତ୍ତନକରି ୫-୩ରେ ବିଜୟୀ ହୋଇଛି। ବିଜେତା ଦଳ ପକ୍ଷରୁ ଟମ୍‌ ବୁନ ସର୍ବାଧିକ ୩ଟି ଗୋଲ୍‌ (୧୫, ୩୦, ୫୮) ଦେଇଥିବାବେଳେ ଗୁଇଲମ୍‌ ହେଲିନ (୩୨) ଓ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୫୩) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ସେହିଭଳି ଆର୍ଜେଣ୍ଟିନାର ଟୋମାସ ଡୋମିନି ୨ଟି ଗୋଲ୍‌ (୨ ଓ ୨୪) ଦେଇଥିବାବେଳେ ନିକୋଲାସ୍‌ ଟୋର୍‌ ଡିଲା ଗୋଟିଏ (୯) ଗୋଲ୍‌ ଦେଇଥିଲେ।