ରାଉରକେଲା: ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ମଙ୍ଗଳବାରରୁ ଆରମ୍ଭ ହୋଇଯାଇଛି ପ୍ରୋଲିଗ୍। ପ୍ରାୟ ବର୍ଷକର ବ୍ୟବଧାନପରେ ‘ହକିର ଅନ୍ତୁଡ଼ିଶାଳ’କୁ ଅନ୍ତର୍ଜାତୀୟ ହକି ଫେରିଛି। ଆସନ୍ତା ୧୫ ତାରିଖଯାଏ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ଭାରତ, ଆର୍ଜେଣ୍ଟିନା ଓ ବେଲଜିୟମ ପରସ୍ପର ମଧ୍ୟରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ।
ଦର୍ଶକ କମ୍, ଉତ୍ସାହ ବେଶି
ଆଜିଥିଲା ଭାରତ ପର୍ଯ୍ୟାୟ ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚ୍। ଏଥିରେ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ବେଲଜିୟମ। ତେବେ ପ୍ରଥମ ଦିନରେ ଦର୍ଶକଙ୍କ ଉପସ୍ଥିତି ଢେର୍ କମ୍ ଥିଲା। ସମ୍ଭବତଃ ଆଜି ଭାରତର ମ୍ୟାଚ୍ ନଥିବାରୁ ଦର୍ଶକଙ୍କ ସଂଖ୍ୟା ଆଶାନୁରୂପ ହୋଇନଥିଲା। ପାଖାପାଖି ୪/୫ ହଜାର ଦର୍ଶକ ଆଜିର ମ୍ୟାଚ୍କୁ ଉପଭୋଗ କରିଥିଲେ। ତେବେ ଦର୍ଶକଙ୍କ ସଂଖ୍ୟା କମ୍ ଥିଲା, କିନ୍ତୁ ଉତ୍ସାହ ଭରପୁର ରହିଥିଲା। କିଏ ବେଲ୍ଜିୟମର ଜର୍ସି ପିନ୍ଧି ଆସିଥିଲା ତ ପୁଣି କିଏ ଆର୍ଜେଣ୍ଟିନାର ଜର୍ସି ପନ୍ଧି ଦଳକୁ ସମର୍ଥନ କରିଥିଲେ। ପ୍ରତ୍ୟେକ ଗୋଲ୍, ପେନାଲ୍ଟି କର୍ଣ୍ଣର୍ବେଳେ ଦର୍ଶକଙ୍କ କରତାଳିରେ ଫାଟି ପଡ଼ୁଥିଲା ଷ୍ଟାଡିୟମ। ଆସନ୍ତାକାଲି ଭାରତର ମ୍ୟାଚ୍ ଥିବାରୁ ଦର୍ଶକ ସଂଖ୍ୟାରେ ଆଶାତୀତ ବୃଦ୍ଧି ହେବାର ସମ୍ଭାବନା ରହିଛି।
ମ୍ୟାଚ୍ ଉପଭୋଗ କଲେ କ୍ରୀଡ଼ା ମନ୍ତ୍ରୀ
ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରୋଲିଗ୍ର ମ୍ୟାଚ୍କୁ ମନଭରି ଉପଭୋଗ କରିଛନ୍ତି। ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହି ମ୍ୟାଚ୍ ଦେଖିଥିଲେ। ତାଙ୍କ ସହିତ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦେଶକ ଡ. ୟେଦୁଲା ବିଜୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତିଦାର ପ୍ରମୁଖ ଉପସ୍ଥିତ ଥିଲେ।
ଖୁସି ବ୍ୟକ୍ତ କଲେ ଯୁବ ହକି ଖେଳାଳି
ଆଜିର ମ୍ୟାଚ୍କୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ସୁଦୂର ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସରୁ ମ୍ୟାଚ୍ ଦେଖିବାକୁ ଆସିଥିବା ଅନମୋଲ ଜୋଜୋ କହିଛନ୍ତି, ଆଜିର ମ୍ୟାଚ୍ ପାଇଁ ବେଶ୍ ଉତ୍ସାହିତ। ଆମେ ଆଶା କରୁଛୁ ଦୁଇ ଦଳ ମ୍ୟାଚ୍ ମଧ୍ୟରେ କଡ଼ା ମୁକାବିଲା ହେବ। ଆସନ୍ତାକାଲି ପୁଣି ମ୍ୟାଚ୍ ଦେଖିବାକୁ ଆସିବୁ ଓ ଭାରତୀୟ ଦଳକୁ ପୂର୍ଣ୍ଣ ସମର୍ଥନ କରିବୁ। ସେହିଭଳି ଡେନିଶା ମେହେର କହିଛନ୍ତି, ଗତ ବର୍ଷ ମଧ୍ୟ ପ୍ରୋ-ଲିଗ୍ ମ୍ୟାଚ୍ ଦେଖିବାକୁ ଆସିଥିଲୁ, ଏଥର ମଧ୍ୟ ଆସିଥିଲୁ। ଆଜିର ମ୍ୟାଚ୍ ବେଶ୍ ରେମାଞ୍ଚକର ହୋଇଥିଲା। ଉଭୟ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଆଜିର ମ୍ୟାଚ୍ରୁ ବହୁତ କିଛି ଶିକ୍ଷାଲାଭ କଲୁ। ବିଶ୍ବପ୍ରସିଦ୍ଧ ଖେଳାଳିଙ୍କୁ ପାଖଣୁ ଦେଖିବା, ସେମାନଙ୍କର କ୍ରୀଡ଼ାଶୈଳୀକୁ ଦେଖିବା, ନିଶ୍ଚିତଭାବେ ଅବିସ୍ମରଣୀୟ ହୋଇ ରହିବ।
ହକି ପ୍ରତି ରାଉରକେଲାବାସୀଙ୍କ ଉତ୍ସାହ ବିଶ୍ବରେ ବିରଳ: ସୂର୍ଯ୍ୟବଂଶୀ ସୂରଜ
ରାଉରକେଲାକୁ୍ ପୁଣିଥରେ ପ୍ରୋଲିଗ୍ ଫେରିଥିବାରୁ ଅତ୍ୟନ୍ତ ଖୁସି। ଏଠାରେ ହକି ପ୍ରତି ଯେଭଳି ଭଲ ପାଇବା ଓ ଉତ୍ସାହ ରହିଛି। ଏଥର ଭାରତୀୟ ଦଳରେ ୫ ଜଣ ଓଡ଼ିଆ ଖେଳାଳି ଅଛନ୍ତି, ଯାହାକି ନିଶ୍ଚିତଭାବେ ଖୁସି ଓ ଗର୍ବର ବିଷୟ। ଆଗାମୀ ଦିନରେ ଭାରତୀୟ ଦଳରେ ମଧ୍ୟ ଓଡ଼ିଆ ଖେଳାଳି ସଂଖ୍ୟାରେ ଆହୁରି ବୃଦ୍ଧି ହେବ। ରାଜ୍ୟ ସରକାର କ୍ରୀଡ଼ା ପାଇଁ ଉତ୍ସର୍ଗୀକୃତ। ସୁନ୍ଦରଗଡ଼ ଜିଲ୍ଲାରେ ୨୨ଟି ହକି ଉତ୍କର୍ଷ କେନ୍ଦ୍ର ରହିଛି, ଯେଉଁଠାରେ ମେଧାବି କ୍ରୀଡ଼ାବିତ୍ଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯାଉଛି। ହକିକୁ ଓଡ଼ିଶା ପୃଷ୍ଠପୋଷକତା କରୁଛି। ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖି ଯୁବ ଖେଳାଳି ବହୁତ କିଛି ଶିକ୍ଷାଲାଭ କରିବେ ଓ ଅନୁପ୍ରାଣିତ ହେବେ।
ନୂଆ ଖେଳାଳି ଉନ୍ନତ ପ୍ରଦର୍ଶନ କରିବେ: ଦିଲୀପ ତିର୍କି
ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ସମସ୍ତେ ଆଗ୍ରହୀ। କାରଣ ଏଠାକାର ପରିବେଶ ଓ ଦର୍ଶକଙ୍କ ଉତ୍ସାହ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ। ମୁଁ ଖେଳୁଥିବା ସମୟରେ ଭାରତୀୟ ଦଳରେ ୫ ଜଣ ଓଡ଼ିଆ ଖେଳାଳି ଖେଳୁଥିଲୁ। ବହୁବର୍ଷପରେ ପୁଣିଥରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏବେକାର ଭାରତୀୟ ଦଳରେ ୫ ଜଣ ଓଡ଼ିଆ ଖେଳାଳି ଅଛନ୍ତି, ଯାହାକି ନିଶ୍ଚିତଭାବେ ଉତ୍ସାହପ୍ରଦ। ଦଳରେ ସାମିଲ ହୋଇଥିବା ନୂଆ ତଥା ଉଦୀୟମାନ ଓଡ଼ିଆ ଖେଳାଳି ଉନ୍ନତ ପ୍ରଦର୍ଶନ କରିବେ ବୋଲି ଆଶା।
ବିର୍ସା ମୁଣ୍ଡା ଷ୍ଟାଡିୟମ ରାଉରକେଲାର ପରିଚୟ: ସାରଦା ନାୟକ
ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲା ପରିଚୟ। ହକି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପରିଚୟ, ଗର୍ବ ଓ ଗୌରବ। ଟିକଟ୍ ବ୍ୟବସ୍ଥାକୁ ନେଇ ଅସୁବିଧା ଦେଖାଦେଇଥିଲା। ଜିଲ୍ଲା ପ୍ରଶାସନ ଏହାକୁ ପ୍ରାଥମିକତା ଦେଇ ଏହାର ସମାଧାନ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/rourkela-hockey-2026-02-11-08-16-07.jpeg)