ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ଦାବିରେ ଶିକ୍ଷକ ଆଶାୟୀ ସଂଘର ବିକ୍ଷୋଭ

ଭୁବନେଶ୍ବର : ଶୁକ୍ରବାର ଦିନ ବିଭିନ୍ନ ଦାବି ନେଇ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଶେଷକରି ରାଜ୍ୟରେ ବହୁ ପଦବି ଖାଲି ପଡ଼ିଥିବାରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହିତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ, ନକଲି ଶିକ୍ଷକ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ପ୍ରମାଣପତ୍ର ସଠିକ୍ ଭାବେ ଯାଞ୍ଚ କରିବା ଓ ସେମାନଙ୍କୁ ବହିଷ୍କାର କରିବା ଏବଂ ଶିକ୍ଷା ଅଧିକାର ନିୟମ ଅନୁସାରେ ବେସରକାରୀ ବିଦ୍ୟାଳୟର ସମସ୍ତ ସର୍ତ୍ତକୁ ସଠିକ୍ ଯାଞ୍ଚ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସଂଘର ଅଭିଯୋଗ ଅନୁଯାୟୀ, ରାଜ୍ୟରେ ଏବେ ୬୬ ହଜାର ୬୬୬ ଶିକ୍ଷକ ପଦବି ଖାଲି ପଡ଼ିଛି। ସେହିପରି ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବେଶ୍ ଦୁର୍ବଳ। ଅଥଚ ୫-ଟି ଜରିଆରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ହେବା ଜରୁରୀ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବାରୁ ସରକାର ପ୍ରାୟ ୮ ହଜାର ପ୍ରାଥମିକ ବିଦ୍ୟାଳୟକୁ ଭାଙ୍ଗି ଦେଇଛନ୍ତି। ଏଣେ କିନ୍ତୁ ନୂତନ ଘରୋଇ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଉଛନ୍ତି। ଯଦି ସରକାରୀ ବିଦ୍ୟାଳୟ ପାଇଁ ପିଲାଙ୍କ ଅଭାବ ରହୁଛି, ତେବେ ବେସରକାରୀ ବିଦ୍ୟାଳୟରେ ପିଲା କେଉଁଠୁ ଆସୁଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି। ତେଣୁ ଘରୋଇ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ଯାଞ୍ଚ କରିବା ପାଇଁ ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର