ଭୁବନେଶ୍ୱର: ଆମେ ହେଲୁ ବିଶ୍ୱବିଦ୍ୟାଳୟର ରାଜା, ନା ନିୟମ ମାନିବୁ, ନା କିଛି କଟକଣାକୁ ଖାତିର କରିବୁ | ଅଏସରେ ବଞ୍ଚିବୁ, ପାଠପଢା ସରିଥିଲେ ବି ଜୋରଜବରଦସ୍ତ ରହିବୁ | ହଷ୍ଟେଲର ରୁମକୁ କବଜା କରି ରଖିବୁ, ପଢାପଢି ଛଡା ସବୁକିଛି କରିବୁ | କିଛି ଏମିତି ଭାବି ବର୍ଷ ବର୍ଷ ଧରି ବାଣୀବିହାର ହଷ୍ଟେଲରେ ରହିଆସୁଥିଲେ ଅଣଛାତ୍ର | ଗୋଟିଏ କି ଦୁଇଟି ରୁମରେ ନୁହେଁ ବରଂ ପାଖାପାଖି ୧୩୦ଟି ରୁମକୁ ନିଜ ଅକ୍ତିଆରରେ ରଖିଥିଲେ ଅଣଛାତ୍ର | ଆଜି ପୁଲିସ ଫୋର୍ସ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଢ଼ାଉ କରି କିଛି ରୁମ ଖାଲି କରିଥିବାବେଳେ ରୁମ ଭିତରେ ଥିବା ସାମଗ୍ରୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଛୋଟ ରୁମରେ ଖୁନ୍ଦିଖାନ୍ଦି ଅଣଛାତ୍ର ଏତେ ସାମଗ୍ରୀ ରଖିଥିଲେ ଯେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ |
ହଷ୍ଟେଲର ରୁମକୁ କବଜା କରି ସବୁ ପ୍ରକାରର ବ୍ୟବସ୍ଥା ବି କରିଥିଲେ | ରୁମରେ କେହି ହିଟର ଲଗାଇ ରୋଷେଇ କରୁଥିଲା ତ କେହି ପୁଣି ଗ୍ୟାସ କନେକ୍ସନ ବି ନେଇସାରିଥିଲା | ବଡ କଥା ଯେ ଅଧିକ ବିଦ୍ୟୁତ ଖର୍ଚ୍ଚ ପାଇଁ ହିଟର ବ୍ୟବହାର ଏବେ ଏତେ କେହି କରୁନଥିବାବେଳେ ଏହି ଅଣଛାତ୍ରମାନଙ୍କର ନଥିଲା ଖାତିର | କାରଣ ଇଲେକ୍ଟ୍ରି ବିଲ ଆସିଲେ ବିଶ୍ୱବିଦ୍ୟାଳୟ ଦେବ | ଯେଉଁଠି ହଷ୍ଟେଲ ଭଡା କେହି ଦେଉନଥିଲେ ବିଦ୍ୟୁତ ବିଲ କଥା କିଏ ବା ପଚାରେ | କିଛି ରୁମରୁ ତ ପାଠବହି ବାହାରିବ କଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଗୀଟାର, ଅନ୍ୟାନ୍ୟ ସାମଗ୍ରୀ ବି ବାହାରିଥିଲା |
ମୋଟାମୋଟି କହିବାକୁ ଗଲେ ଯେଉଁ ହଷ୍ଟେଲ ମେଧାବୀ ତଥା ଗରିବ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାହାକୁ କବଜା କରି, ଘରଭଡା ସମସ୍ୟାରୁ ମୁକ୍ତି ପାଉଥିଲେ | ଉଲ୍ଲେଖ ଥାଉ କି ଆଜି ଯେତେବେଳେ ହଷ୍ଟେଲରେ ଚଢ଼ାଉ ହେବ ବୋଲି ଜଣାପଡିଥିଲା କିଛି ଅଣଛାତ୍ର ରୁମ ବାହାରେ ତାଲା ପକାଇ ଚାଲିଯାଇଥିଲେ | ଆଉ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପୁଲିସ ରୁମ ତାଲା ପକାଇ ରୁମ ଗୁଡିକୁ ଖାଲି କରିଥିଲା | ତେବେ ଏହି ଚଢ଼ାଉ ପରେ ବି ପୁଣି ପୂର୍ବ ଅବସ୍ଥାକୁ ଫେରିଯିବନି ତ ବିଶ୍ୱବିଦ୍ୟାଳୟ ହଷ୍ଟେଲ, ପୁଣି ଫେରି ଆଡ୍ଡା ଜମେଇବେନି ତ ଅଣଛାତ୍ର, ତାହା ହିଁ ଏବେ ବଡ ପ୍ରଶ୍ନ |