ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ରାଜସ୍ଥାନ ବିଧାନସଭା ଦ୍ୱାରା ପୂର୍ବତନ ବିଧାୟକ ପେନସନ ମଞ୍ଜୁର କରାଯାଇଛି। ବିଧାନସଭା ସଚିବାଳୟ ତାଙ୍କ ଆବେଦନ ଉପରେ ପ୍ରକ୍ରିୟା ସମାପ୍ତ କରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ତାରିଖରୁ ପେନସନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି। ଏବେ ସେ ପ୍ରତି ମାସରେ ପୂର୍ବତନ ବିଧାୟକ ଭାବରେ ପେନସନ ଏବଂ ଆନୁଷଙ୍ଗିକ ସୁବିଧା ପାଇବେ। ଜଗଦୀପ ଧନଖଡ଼ ଅଗଷ୍ଟ ଶେଷ ସପ୍ତାହରେ ବିଧାନସଭା ସଚିବାଳୟରେ ପେନସନ ପାଇଁ ଆବେଦନ କରିଥିଲେ। ଔପଚାରିକତା ସମାପ୍ତ ହେବା ପରେ, ସେ ଏବେ ପ୍ରତି ମାସରେ ପ୍ରାୟ ୪୨ ହଜାର ଟଙ୍କା ପେନସନ ପାଇବେ।

Advertisment

ସୂଚନାଯୋଗ୍ୟ ଯେ ଜଗଦୀପ ଧନଖଡ଼ ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ କିଶନଗଡ଼ ଆସନରୁ କଂଗ୍ରେସ ବିଧାୟକ ଥିଲେ। ବିଧାୟକ ପଦ ଛାଡିବା ପରେ, ସେ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ପେନସନ ପାଉଥିଲେ। କିନ୍ତୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରେ ଏହି ସୁବିଧା ବନ୍ଦ ହୋଇଯାଇଥିଲା। ଉପରାଷ୍ଟ୍ରପତି ପଦରୁ ମୁକ୍ତ ହେବା ପରେ, ତାଙ୍କୁ ପୁଣି ଥରେ ପୂର୍ବତନ ବିଧାୟକ ପେନସନ ଦିଆଯିବ | 

୧୯୯୩ ନିର୍ବାଚନରେ ​​କଂଗ୍ରେସ ରାଜସ୍ଥାନର କିଶନଗଡ଼ ଆସନରୁ ଜଗଦୀପ ଧନଖଡ଼ଙ୍କୁ ଟିକେଟ ଦେଇଥିଲା। ବିଧାନସଭା ନିର୍ବାଚନରେ ​​ଧନଖରଙ୍କୁ ମୋଟ ୪୧ ହଜାର ୪୪୪ ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ଜଗଜିତ ସିଂହଙ୍କୁ ପରାସ୍ତ କରିଥିଲେ। ଜଗଜିତ ସିଂହଙ୍କୁ ୩୯ ହଜାର ୪୮୬ ଭୋଟ ମିଳିଥିଲା। ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ହେଲେ ପ୍ରାୟ ୨ବର୍ଷ ପୂର୍ବରୁ ଅର୍ଥାତ୍ ଚଳିତ ବର୍ଷ ଜୁଲାଇ ୨୧ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ସେପ୍ଟେମ୍ବର ୯ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀ।