ନୂଆଦିଲ୍ଲୀ: କରୋନା ଭାଇରସ୍ ହେତୁ ଭାରତରେ ଫଶି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ନିଜର ଚିନ୍ତା ବ୍ୟକ୍ତ କରିଛି ଭାରତୀୟ ପର୍ଯ୍ୟଟନ ମନ୍ତ୍ରାଳୟ। ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଏକ ଅନ୍ଲାଇନ୍ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। ଏହି ପୋର୍ଟାଲ୍ର ନାମ ‘ଷ୍ଟ୍ରାଣ୍ଡେଡ୍ ଇନ୍ ଇଣ୍ଡିଆ’। ଏହି ଆପ୍ ଜରିଆରେ ହଜାର ହଜାର ବିଦେଶୀ ପର୍ଯ୍ୟଟଙ୍କୁ ସାହାଯ୍ୟ କରାଯାଇ ପାରିବ। ନିଜ ପରିବାରଠାରୁ ଦୂରେଇ ଭାରତରେ ଫଶି ରହିଥିବା ପର୍ଯ୍ୟଟକମାନେ ଏହି ଆପ୍ରୁ ଲାଭ ଉଠାଇ ପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।
କେବଳ ଭାରତରେ ରହୁଥିବା ବିଦେଶୀଙ୍କ ପାଇଁ ନୁହେଁ ବରଂ ବିଦେଶରେ ଫଶି ରହିଥିବା ଭାରତୀୟମାନଙ୍କ ପାଇଁ ମଧ୍ୟ ଏହି ଆପ୍ ଫଳପ୍ରଦ ହେବ। ଯେଉଁ ଭାରତୀୟମାନେ ବିଦେଶରେ କରୋନା ସକାଶେ ଫଶି ରହିଛନ୍ତି ଓ ଭାରତ ଫେରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଏହି ଆପ୍ ବିଶେଷ ସହାୟ ହେବ।
ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ୍ ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିବା ହେତୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ, ରେଳ ସେବା ଓ ବସ୍ ଆଦି ସବୁ ବାତିଲ୍ କରି ଦିଆଯାଇଛି। ସେହି କାରଣରୁ ଯିଏ ଯେଉଁଠାରେ ଅଛନ୍ତି ସେମାାନେ ସେଇଠାରେ ହିଁ ଫଶି ରହିଛନ୍ତି। ଚାହିଁକରି ମଧ୍ୟ ନିଜ ନିଜ ଘରକୁ ଫେରି ପାରୁନାହାନ୍ତି।