ଓଡ଼ିଶାର ସମ ହସପିଟାଲରେ କରୋନା ଟିକା କୋଭାକ୍ସିନର ପରୀକ୍ଷଣ ଆରମ୍ଭ, ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ଭୁବନେଶ୍ୱର : ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଓଡ଼ିଶାରେ ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ସମ ହସପିଟାଲରେ ଏହି ଟିକାକୁ ସ୍ୱେଚ୍ଛାସେବୀଙ୍କ ଉପରେ ପ୍ରୟୋଗ କରାଯାଇଛି । ପ୍ରଥମେ ସ୍ୱେଚ୍ଛାସେବୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଟିକା ଦିଆଯାଇଥିଲା ।
ଏହି ଟିକାଦିଆଯିବାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଆଜି ହିଁ ସେମାନଙ୍କୁ ଘରକୁ ପଠାଇଦିଆଯିବ । କିନ୍ତୁ ଆଗାମି କିଛି ସପ୍ତାହ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ବୋଲି ଜଣାପଡ଼ିଛି ।

ଗତ ୨୫ ତାରିଖ ଦିନ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ । ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଂଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।
ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି । ଏହା ମଧ୍ୟରେ ଓଡ଼ିଶାର ସମ ହସପିଟାଲ ରହିଛି ।
ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି ।

ସମ୍ବନ୍ଧିତ ଖବର