ରାଉରକେଲା: ହକି ଇଣ୍ଡିଆ ଲିଗ୍‌ ପୁରୁଷ ବର୍ଗର ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ ରାଞ୍ଚିସ୍ଥ ମାରଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍ସ ସିଧାସଳଖ ୪-୦ ଗୋଲ୍‌ରେ ଶକ୍ତିଶାଳୀ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି। ଗୋଞ୍ଜାଲୋ ପିଲାଟଙ୍କ ଦୁଇଟି ଗୋଲ (୨୧, ୪୮) ଏବଂ ଆର୍ଥର ଡି ସ୍ଲୁଭର (୩୧) ଓ ଟିମ୍ ବ୍ରାଣ୍ଡ୍‌ (୩୩)ଙ୍କ ଗୋଟିଏ ଲେଖାଏ ଗୋଲ୍‌ ବଳରେ ତୁଫାନ୍ସ ୭ଟି ମ୍ୟାଚ୍‌ରୁ ୧୩ ପଏଣ୍ଟ ସହ ଲିଗ ଷ୍ଟାଣ୍ଡିଂରେ ଦ୍ୱିତୀୟ ସ୍ଥାନରେ ରହିଛି।
Advertisment
ତେବେ ଆଜିର ପରାଜୟ ସତ୍ତ୍ବେ ତାମିଲନାଡ଼ୁ ଡ୍ରାଗନ୍ସ ସର୍ବାଧିକ ୧୫ ପଏଣ୍ଟ୍‌ ସହ ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛି। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ୟୁପି ରୁଦ୍ରସ୍‌ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୧-୦ ଗୋଲରେ ଟିମ୍‌ ଗୋନାସିକାକୁ ପରାସ୍ତକରିଛି। ୧୫ତମ ମିନିଟ୍‌ରେ ଦଳକୁ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ହାତଛଡ଼ା ନ କରି ଅଧିନାୟକ ହାର୍ଦ୍ଦିକ ସିଂହ ଗୋଲ୍‌ରେ ପରିଣତକରି ସ୍କୋର୍‌କୁ ୧-୦ରେ ଆଗୁଆ କରିଥିଲେ। ଶେଷ ତିନି କ୍ବାର୍ଟରରେ ଗୋନାସିକା ଗୋଲ୍‌ ସୁଝାଇବାକୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହେବାରୁ ପରାଜୟ ବରଣ କରିଛି। ଦଳ ମୋଟ୍‌ ୧୭ଟି ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିବର୍ତ୍ତନ କରିନପାରିବା ମହଙ୍ଗା ପଡ଼ିଛି।
ଉଲ୍ଲେଖଯୋଗ୍ୟ, ରବିବାରଠାରୁ ପୁରୁଷ ବର୍ଗରେ ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ରବିବାର ରାତି ୮.୧୫ରେ ପୁଲ୍‌ ଏ’ର ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ମଧ୍ୟରେ ଖେଳାଯିବ। ମୋଟ୍‌ ୮ଟି ଦଳକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ଏ’ରେ କଳିଙ୍ଗ ଲାନ୍‌ସର୍ସ, ଦିଲ୍ଲୀ ଏସ୍‌ଜି ପାଇପର୍ସ, ସୁର୍‌ମା ହକି କ୍ଲବ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ଥିବାବେଳେ ପୁଲ୍‌ ବି’ରେ ଟିମ୍‌ ଗୋନାସିକା, ହାଇଦ୍ରାବାଦ ତୁଫାନ୍ସ, ତାମିଲନାଡ଼ୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ୍‌ ରହିଛନ୍ତି। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ନିଜ ଗ୍ରୁପ୍‌ର ଅନ୍ୟ ତିନିଦଳ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ପୁଲ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ।