ଆସାନସୋଲ : ପଶ୍ଚିମବଙ୍ଗର ଆସାନସୋଲରେ ମତଦାନ ଆରମ୍ଭ ହେଉ ହେଉ ହିଂସାକାଣ୍ଡ ହୋଇଥିଲା । ଯାହା ପାଇଁ କିଛି ପୋଲିଂ ବୁଥ୍ରେ ମତଦାନ ବନ୍ଦ ରହିବା ସହ କିଛି ପୋଲିଂ ବୁଥ୍ରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ବୁଥ୍ ନମ୍ବର ୧୯୯ରେ ବିଜେପି ସାଂସଦ ପ୍ରାର୍ଥୀ ଥିବା ବାବୁଲ ସୁପ୍ରିୟୋଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଥିଲା । ଏତେ ସବୁ ହୋଇଥିଲେ ମଧ୍ୟ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ମୁନ୍ମୁନ୍ ସେନ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି । ଏହାର କାରଣ ଦର୍ଶାଇ, ଆଜି ମୋତେ ବିଳମ୍ବରେ ବେଡ୍ ଟି ମିଳିଥିଲା । ଯାହା ପାଇଁ ମୁଁ ବିଳମ୍ବରେ ଉଠିଲି । ସେଥିପାଇଁ ମୋତେ କୌଣସି ହିଂସାକାଣ୍ଡ ବିଷୟରେ କିଛି ବି ଜଣା ନାହିଁ ବୋଲି କହିଥିଲେ ମୁନ୍ମୁନ୍ । ତାଙ୍କର ଏଭଳି ବୟାନ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ କିଛି ଲୋକ ସବୁ ଜାଣି କିଛି ଜାଣି ନଥିବା ମୁନମୁନ କହୁଛନ୍ତି ବୋଲି କହିବା ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ବୁଥ୍ ନମ୍ବର ୨୨୨ ଏବଂ ୨୨୬ରେ ସେଣ୍ଟ୍ରାଲ ଫୋର୍ସର ଅନୁପସ୍ଥିତି ପାଇଁ ମତଦାନ କରିବାକୁ ଆସିଥିବା ଲୋକେ ଭୋଟ୍ ଦେବା ପାଇଁ ମନା କରି ଦେଇଥିଲେ । ମତଦାତାମାନେ ମତଦାନ ପାଇଁ ମନା କରିବା ସହ ଆନ୍ଦୋଳନ ଜାରି ରଖିଥିବାରୁ ଏହି ଦୁଇଟି ବୁଥ୍ରେ ମତଦାନକୁ ବନ୍ଦ କରି ଦିଆ ଯାଇଥିଲା ।
ସେଭଳି ଭାବରେ ବୁଥ୍ ନମ୍ବର ୧୨୫-୧୨୯ରେ ସେଣ୍ଟ୍ରାଲ ଫୋର୍ସର ଅନୁପସ୍ଥିତ ଥାଇ ମଧ୍ୟ ତୃଣମୂଳ କଂଗ୍ରେସର କର୍ମୀମାନେ ମତଦାନ ପ୍ରକ୍ରିୟା ଜାରି ରଖିବା ପାଇଁ ବାଧ୍ୟ କରିଥିଲେ । ଯାହା ପାଇଁ ତୃଣମୂଳ କଂଗ୍ରେସ କର୍ମୀ, ସୁରକ୍ଷାକର୍ମୀ ଏବଂ ତ୍ୱରିତ ପ୍ରତିକ୍ରିୟା ବଳ ମଧ୍ୟ ବଚସା ହୋଇଥିବାର ସୂଚନା ମିଳିଥିଲା ।