୨୦୨୧କୁ ଘୁଞ୍ଚିବ ଆଇସିସି ଟି-୨୦ ! ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ୨୦୨୧କୁ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆଇସିସି ଟି-୨୦ ବିଶ୍ବକପ ୨୦୨୧କୁ ଘୁଞ୍ଚାଇ ଦେବାକୁ ଆଇସିସି ଇତି ମଧ୍ୟରେ ନିଷ୍ପତ୍ତି ନେଇ ସାରିଛି । ଚଳିତ ମାସ ୨୬ କିମ୍ବା ୨୮ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଆଇସିସି ବୋର୍ଡ ବୈଠକରେ ଏ ସଂପର୍କରେ ଏ ନେଇ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ । କେବଳ ଏତିକି ନୁହେଁ, ଏହି ବୈଠକରେ ଆଇସିସିର ପରବର୍ତ୍ତି ଅଧ୍ୟକ୍ଷ ଚୟନ ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଆଇସିସି ଅଧ୍ୟକ୍ଷ ପଦ ପାଇଁ ବିସିସିଆଇ ପକ୍ଷରୁ ଏହାର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନାମ ପ୍ରସ୍ତାବ ଦେଇପାରେ ବୋଲି ଆଲୋଚନା ହେଉଛି ।

ବିଶ୍ବକପ ସଂପର୍କରେ ଆଇସିସି ପୂର୍ବରୁ ୩ଟି ପ୍ରସ୍ତାବ ଉପରେ ବିଚାର କରୁଥିଲା । ପ୍ରଥମ ପ୍ରସ୍ତାବ ଅନୁସାରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ କିନ୍ତୁ ଖାଲି ଷ୍ଟାଡିୟମରେ ହେବ । ୨ୟ ପ୍ରସ୍ତାବ ଅନୁସାରେ ଖେଳାଳୀଙ୍କୁ ୧୪ ଦିନିଆ କ୍ବାରାଣ୍ଟାଇନ ରଖିବା ପରେ ଖେଳ ହେବ । ୩ୟ ପ୍ରସ୍ତାବ ଅନୁସାରେ ବିଶ୍ବକପକୁ ଘୁଞ୍ଚାଇବା । ଶେଷରେ ଘୁଞ୍ଚାଇବାକୁ ଆଇସିସି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ତେବେ କ୍ରିକେଟ ଅଷ୍ଟ୍ରେଲିଆ ଆସନ୍ତାବର୍ଷ ଫେବ୍ରୁଆରି ମାସରେ ଏହି ବିଶ୍ବକପ କରିବାକୁ ଆଗ୍ରହୀଥିବାବେଳେ ଏପ୍ରିଲରେ ଆଇପିଏଲ ଥିବା ଯୋଗୁଁ ଏହି ପ୍ରସ୍ତାବରେ ରାଜି ହେଉନାହିଁ ।

ସମ୍ବନ୍ଧିତ ଖବର