ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ କରୋନା ବ୍ୟାପୁଛି : ଆଇସିଏମଆର

ନୂଆଦିଲ୍ଲୀ : ମୁହଁରେ ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର)ର ମହାନିର୍ଦ୍ଦେଶକ ଡ.ବଲରାମ ଭାର୍ଗବ ।

ସେ କହିଛନ୍ତି ଯେ ଦେଶରେ ଏବେ ୩ଟି ଟିକା ଅଗ୍ରଣୀ ସ୍ଥିତିରେ ରହିଛି । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପରୀକ୍ଷା କରାଯାଉଥିବା ଅକ୍ସଫୋର୍ଡ ଟିକା ଏବେ ୨ୟ ପର୍ଯ୍ୟାୟ ଶେଷ କରି ୩ୟ ପର୍ଯ୍ୟାୟକୁ ଯାଇଛି । ତେବେ ଅନ୍ୟ ଦୁଇଟି ଟିକା- ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକୋଭ-ଡି ୧ମ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛନ୍ତି । ସେଗୁଡ଼ିକର ପରୀକ୍ଷଣରୁ ମଧ୍ୟ ଉତ୍ସାହଜନକ ଫଳାଫଳ ମିଳିଛି ।
ଅନ୍ୟପକ୍ଷରେ ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ-୫ କରୋନା ଟିକା ବାବଦରେ ଦୁଇଦେଶ ପରସ୍ପର ଯୋଗାଯୋଗରେ ଅଛନ୍ତି । ଏହି ଟିକା ସଂପର୍କିତ କେତେକ ତଥ୍ୟ ରୁଷିଆ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି ।

ଆଇସିଏମଆର ଦ୍ୱାରା ପ୍ରସ୍ତୁତ ପ୍ରଥମ ଜାତୀୟ ସେରୋ ସର୍ଭେର ରିପୋର୍ଟ ଚଳିତ ସପ୍ତାହରେ ପ୍ରକାଶ ପାଇବ । ଏହା ଭାରତୀୟ ଭେଷଜ ଗବେଷଣା ଜର୍ନାଲରେ ପ୍ରକାଶ ପାଇବ । ୨ୟ ଜାତୀୟ ସେରୋ ସର୍ଭେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସଂପୂର୍ଣ୍ଣ ହେବ ବୋଲି ଶ୍ରୀ ଭାର୍ଗବ କହିଛନ୍ତି ।
ସୂଚନାଯୋଗ୍ୟ ଯେ ସାରା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଟପିଯାଇଛି ।

ସମ୍ବନ୍ଧିତ ଖବର