ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିଶ୍ବବ୍ୟାପୀ ସଚେତନତା ଜାରି ରହିଥିବା ବେଳେ ଦିଲ୍ଲୀଠାରେ ଥିବା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆଇସିଏମ୍ଆର୍) ପକ୍ଷରୁ ଶନିବାର ଲୋକମାନଙ୍କୁ ପାନ କିମ୍ବା ତମାଖୁ ଖାଇ ସର୍ବସାଧରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି।
ଏହି ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗୁଟ୍ଖା, ପାନ ମସାଲା, ସୁପାରି ପରି ନିଶା ଦ୍ରବ୍ୟ ପାଟିରେ ପୂରାଇ ଚୋବାଇବା ଦ୍ବାରା ପାଟିରୁ ଲାଳ ବାହାରିଥାଏ। ସେହି ଛେପକୁ ଆମେ ବାହାରେ ପକାଇବାରୁ ଭାଇରସ୍ ବ୍ୟାପିବାର ସମ୍ଭାବନା ରହିଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦ୍ବାରା ଭାଇରସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି।
କୋଭିଡ୍-୧୯ ପରି ଏକ ମହାମାରୀର କରାଳ ରୂପ ଦେଖିବା ପରେ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଏପରି ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଉପାୟ ଅବଲମ୍ବନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ସୁଦ୍ଧା ସମୁଦାୟ ୩ ହଜାର ୭୦ ଜଣ ଲୋକ ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟ ୭୫ ଛୁଇଁଲାଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।