ରାଉରକେଲା: ସରକାରଙ୍କ ଲ୍ୟାଣ୍ଡ ବ୍ୟାଙ୍କରୁ ଜମି ପାଇଥିବା ଇଡ୍‌କୋ ଶିଳ୍ପପ୍ରତିଷ୍ଠା ପାଇଁ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ନୀତିନିୟମ ଅନୁଯାୟୀ ଜମି ଆବଣ୍ଟନ କରିବା କଥା। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା। ଏ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ଅଧିକାରୀମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଡାକ୍ତର ଏକ୍କା କହିଛନ୍ତି, ଲାଠିକଟା ବ୍ଲକ ଅନ୍ତର୍ଗତ କାଲୋକୁଦର ମୌଜା ଅନ୍ତର୍ଗତ ଲୁଙ୍ଗେଇ ପ୍ରାୟ ୧. ୬ ଏକର ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ଇଡ୍‌କୋ ଜଣେ ବ୍ୟବସାୟୀଙ୍କୁ ବିନା ଗ୍ରାମସଭାରେ ଟେକିଦେଇଛନ୍ତି। ସମ୍ପୃକ୍ତ ବିବାଦିତ ଜାଗାର ଚତୁଃପାର୍ଶ୍ବକୁ ଘେରାବନ୍ଦୀ କରିବା ପୂର୍ବରୁ ବ୍ୟବସାୟୀ ଜଣକ ଜିଲ୍ଲା ପ୍ରଶାସନଠୁ ଅନୁମତି ନେଇଛନ୍ତି କି ନାହିଁ, ଜଣା ନାହିଁ।  କେବଳ ଏତିକି ନୁହେଁ ଜାଗା ଘେରାବନ୍ଦୀ ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳକୁ ସ୍ଥାନୀୟ ତହସିଲଦାର କିମ୍ବା କୌଣସି ପ୍ରଶାସନିକ ବରିଷ୍ଠ ଅଧିକାରୀ ଆସି ନଥିଲେ। ବ୍ୟବସାୟୀ ଜଣକ ସ୍ଥାନୀୟ ପୁଲିସକୁ ଲଗାଇ ସମ୍ପୃକ୍ତ ଜାଗାକୁ ଘେରାବନ୍ଦୀ କରିଛନ୍ତି।  ବ୍ରାହ୍ମଣୀତରଙ୍ଗ ପୁଲିସ ସୁରକ୍ଷା ଯୋଗାଇ ଦେବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି, ତା’ର ମଧ୍ୟ ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ଡାକ୍ତର ଏକ୍କା ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ବିଭାଗୀୟ ଉଚ୍ଚଅଧିକାରୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସ୍ଥାନୀୟ ଲୁଙ୍ଗେଇ ବାସିନ୍ଦାଙ୍କୁ ନ୍ୟାୟ ‌ଦେବାକୁ ଅନୁରୋଧ କରିଛନ୍ତି।

Advertisment

ଏ ସଂକ୍ରାନ୍ତରେ ବ୍ରାହ୍ମଣୀତରଙ୍ଗ ଥାନାଅଧିକାରୀ କ୍ଷୀତିଶ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ବିଷୟରେ ବିଧାୟକ କରିଥିବା ଅଭିଯୋଗ ସମ୍ପର୍କରେ ସେ କୌଣସି  ଟିପ୍ପଣୀ ଦେବାକୁ ଚାହାନ୍ତି ନାହିଁ। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଉଲ୍ଲେଖଯୋଗ୍ୟ, ଜାତୀୟ ରାଜପଥ ପାର୍ଶ୍ବରେ ଏହି ମୂଲ୍ୟବାନ ଗ୍ରାମ୍ୟ ଜଙ୍ଗଲ ଜମି ରହିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ହେବ। ଏହି ଜମିରେ ସ୍ଥାନୀୟ ଅଞ୍ଚଳବାସୀ ଚାରାରୋପଣ କରିଥିଲେ। ଏହାର ଚତୁଃପାର୍ଶ୍ବରେ ଆହୁରି ଜଙ୍ଗଲ ଜମି ରହିଛି। ଏହି ବିବାଦିତ ଜାଗାରୁ ଗଛ ନ କାଟିବାକୁ ସ୍ଥାନୀୟବାସିନ୍ଦା ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ଏସବୁ ଭିତରେ ବ୍ୟବସାୟୀଜଣକ ସମ୍ପୃକ୍ତ ଜାଗାକୁ ନିଜ ଅଧିନକୁ ନେବାକୁ ଯାଉଥିବାରୁ ଗତ କିଛି ମାସ ଧରି ବିବାଦ ଲାଗି ରହିଛି। ତେବେ ଆଗାମୀ ଦିନରେ ସମ୍ପୃକ୍ତ ବିବାଦିତ ଜାଗା ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।