କୋରାପୁଟ: ଦେଶ ବିଶ୍ୱ ଐତିହ୍ୟ ଦିବସ ପାଳନ କରୁଛି। ଏହି ସମୟରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ କେଚଲା ଗ୍ରାମର ଐତିହାସିକ ଖୋଲା ଆକାଶ ମନ୍ଦିରରୁ ଏକ ବିଶାଳ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବାନ ଜୈନ ମୂର୍ତ୍ତି ଚୋରି ହୋଇଯାଇଛି। ଖୋଲା ଆକାଶ ମନ୍ଦିରରେ ଥିବା ଆଠଟି ମୂର୍ତ୍ତି ମଧ୍ୟରୁ ସବୁଠାରୁ ବଡ଼ ମୂର୍ତ୍ତି ଚୋରି ହୋଇଛି। ଏନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ସଦର ଥାନା ଅଧିକାରୀ ରୁନୁ ମାଝୀ ।  

Advertisment

କେଚଲା ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ୮ଟି ଜୈନ ମୂର୍ତ୍ତି ପିଢ଼ି ପିଢ଼ି ଧରି ଗ୍ରାମବାସୀ ପୂଜା ଅର୍ଚ୍ଚନା କରି ଆସୁଛନ୍ତି l ଚୋରି ମୂର୍ତ୍ତିର ମୂଲ୍ୟ ବଜାରରେ କୋଟି କୋଟି ଟଙ୍କା ବୋଲି ଜଣାପଡ଼ିଛି। ତଥାପି, ଗ୍ରାମବାସୀଙ୍କ ପାଇଁ, ଏହାର ମୂଲ୍ୟ ଆର୍ଥିକ ମୂଲ୍ୟଠାରୁ ଅଧିକ।“ଯେତେଦିନ ପର୍ଯ୍ୟନ୍ତ କେହି ମନେ ରଖିପାରିବେ ଏହି ମୂର୍ତ୍ତି ଆମର ମୁଖ୍ୟ ଦେବତା ହୋଇଆସିଛି। ଏହା ପୂଜାର ପ୍ରତୀକ ନୁହେଁ - ଏହା ଆମ ଗାଁର ଆତ୍ମା,” ବୋଲି ଗ୍ରାମବାସୀମାନେ କହିଛନ୍ତି। 

ବିଭିନ୍ନ ପର୍ବପର୍ବାଣିରେ ସେମାନେ ସେଇ ସବୁ ମୂର୍ତ୍ତିକୁ ପୂଜା କରୁଛନ୍ତି l ଏବେ ଚଇତ ମାସ ଚାଲି ଥିବାରୁ ମହା ଆଡମ୍ବର ସହକାରେ ଗ୍ରାମବାସୀ ଜୈନ ମୂର୍ତ୍ତି ସବୁକୁ ସୁସର୍ଜିତ କରି ପୂଜା କରୁଛନ୍ତି l ଗ୍ରାମବାସୀ ଗତକାଲି ପୂଜା କରି ଫେରିଥିଲେ l ଆଜି ସକାଳୁ ପୂଜା କରିବା ପାଇଁ ପାହାଡ଼କୁ ଯିବା ବେଳକୁ ୮ଟି ମୂର୍ତ୍ତି ଭିତରୁ ଗୋଟେ ମୂର୍ତ୍ତିକୁ କେହି ଦୃବୃତ୍ତ ଟାଣି ଟାଣି ପାହାଡ଼ ଉପରୁ ତଳକୁ ଆଣି ଚୋରି କରି ନେଇ ଯାଇଛି l ଏହି ମୂର୍ତ୍ତି ଚୋରିରେ ବଡ଼ଧରଣର ରାକେଟର ହାତ ରହିଛି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି l

ଏ ନେଇ ଗ୍ରାମବାସୀ ଆଜି କୋରାପୁଟ ସଦର ଥାନାରେ ଦ୍ଵାରସ୍ଥ ହୋଇଥିଲେ। ଚୋରି ମୂର୍ତ୍ତିକୁ ଉଦ୍ଧାର କରିବା ସହିତ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ଏହା ପୂର୍ବରୁ ଏଭଳି  “ସୁରକ୍ଷା ଅଭାବରୁ ସେମିଲିଗୁଡ଼ା ବ୍ଲକର ସୁବାଇର ମୁଖ୍ୟ ମନ୍ଦିର ପରିସରରୁ ତିନୋଟି ମୂର୍ତ୍ତି ଚୋରି ହୋଇଛି। ସମ୍ପ୍ରତି ଚୋରି କୋରାପୁଟରେ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିବା ଅମୂଲ୍ୟ ଜୈନ ମୂର୍ତ୍ତିଗୁଡ଼ିକର ସୁରକ୍ଷା ପ୍ରତି ଚିନ୍ତାକୁ ଆହୁରି ତୀବ୍ର କରିଛି।