ସମ୍ବଲପୁର: ଚାହିଥିଲେ ଓଡ଼ିଶାକୁ ଦୁଇ ଭାଗ କରି ମୁଖ୍ୟମନ୍ତ୍ରୀ ହୋଇ ପାରିଥାଆନ୍ତି। ମାତ୍ର କ୍ଷମତା ରାଜନୀତି ନୁହେଁ, ଲୋକ ରାଜନୀତିକୁ ଗୁରୁତ୍ବ ଦେଇଆସିଛି। ନିୟମଗିରି ସୁରକ୍ଷା ପାଇଁ ରାହୁଲ ଗାନ୍ଧି ମଧ୍ୟ ଏଠାକୁ ଆସିଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଛାମୁଆ ଶାଖା ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନର ଦୁଇଦିନିଆ ସର୍ବୋଦୟ ଶିବିରରେ ଏହା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ସମ୍ବଲପୁରସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ସମ୍ମିଳନୀ କକ୍ଷଠାରେ ଆୟୋଜିତ ପଶ୍ଚିମ ଓଡ଼ିଶାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଦାସ କହିଥିଲେ, ବର୍ତ୍ତମାନ କେବଳ ଟଙ୍କାରେ କ୍ଷମତାକୁ ଆସିବାର ଯୋଜନା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ଅମଲାଙ୍କ କବ୍ଜାକୁ ଚାଲି ଆସିଛି। ଗାଁରେ କଂଗ୍ରେସ ଜୀବିତ ରହିଲେ ହିଁ ଦଳ ମଜବୁତ ହୋଇପାରିବ। ଦଳର ପଞ୍ଚାୟତିରାଜ ସଙ୍ଗଠନର ଅନ୍ୟୁନ ୫ ଜଣଙ୍କୁ ଟିକେଟ ଓ ପିସିସିରେ ସ୍ଥାନୀତ କରାଯିବା ଉଚିତ। ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଦେଇଥିଲେ।
ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ର କହିଥିଲେ, ରାଜନୀତି ଅର୍ଥ କେବଳ ନିର୍ବାଚନ ନୁହେଁ। ବଲାଙ୍ଗୀରରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସମଗ୍ର ପଶ୍ଚିମ ଓଡ଼ିଶାର ସ୍ବାର୍ଥ ଓ ହକ୍ ପାଇଁ ସେ କାର୍ଯ୍ୟ କରିବେ। ବରିଷ୍ଠ ନେତା ସୁଦର୍ଶନ ଦାସ କହିଥିଲେ, ଯେଉଁ ସମ୍ବିଧାନ ପାଇଁ ୨୦୦ ବର୍ଷ ଧରି ଲଢ଼େଇ ହୋଇଥିଲା, ସେହି ସମ୍ବିଧାନ ଆଜି ସଙ୍କଟରେ। ସମ୍ବିଧାନକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଦାୟିତ୍ବ। ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ଦିଲୀପ ଦୁରିଆ, ସୋନପୁର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ, ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ସେଠୀ, ନାରୀନେତ୍ରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁ, ସୁନ୍ଦରଗଡ଼ର କଂଗ୍ରେସ ନେତା ନିର୍ମଳ ନାଏକ, ବଲାଙ୍ଗୀରର ଯୁବନେତା ଗଣେଶ ସାହୁ ପ୍ରମୁଖ ଦଳର ରାଜନୀତି ସହିତ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/zEGV9Fdw5JXqfvJheysz.jpg)