ଭଦ୍ରକ/ ବାସୁଦେବପୁର: ଏବେ ଶ୍ରୀହୀନ ହୋଇପଡିଛି ଭଦ୍ରକ ଜିଲ୍ଲାର ଚୂଡାମଣି ବନ୍ଦର। ଏଠି ଆଉ ପୂର୍ବ ଭଳି ଗହଳି ନାହିଁ। ଚୁଡ଼ାମଣି ଇଲିସ ମାଛ ପାଇଁ ବେଶ୍ ପ୍ରସିଦ୍ଧି ଥିଲା। ଆଉ ଇଲିସି ମାଛର ଦେଖା ନାହିଁ। କର୍ତ୍ତୃପକ୍ଷଙ୍କର ଅବହେଳାରୁ ପୋତି ହୋଇପଡ଼ିଲାଣି ବନ୍ଦର ମୁହାଣ। ସମୁଦ୍ରର ଜୁଆର ପାଣି ଆସିବାରେ ବାଧା ସୃଷ୍ଟି ହେବାରୁ ବନ୍ଦର ମୁହାଣକୁ ଆଉ ମାଛ ଆସୁନାହାନ୍ତି। ମାଛ ମିଳୁନଥିବାରୁ ଆଉ ଅଧିକ ଧୀବର ଏଠାକୁ ମାଛ ମାରିବାକୁ ଆସୁନାହାନ୍ତି। ଏବେ ସ୍ବପ୍ନ ପାଲଟିଛି ଚୂଡାମଣି ଇଲିସି। ମୁହାଣରେ ବାଲି ଚରି ଯାଇ ପୋତି ହୋଇପଡ଼ିବାରୁ ଆଉ ଅଧିକ ସଂଖ୍ୟକ ମତ୍ସ୍ୟଜୀବି ଚୂଡ଼ାମଣି ଘାଟ ମୁହାଣକୁ ମାଛଧରା ବୋଟ ଧରି ଆସୁନାହାନ୍ତି।
ଘାଟ ମୁହାଣ ପୋତି ହୋଇଯାଇଥିବାରୁ ବୋଟଗୁଡ଼ିକ ଚୂଡ଼ାମଣି ଘାଟ ଛାଡ଼ି ଏବେ ଚୂଡ଼ାମଣି ଜେଟିରେ ଲାଗୁଛି। ଜେଟିରେ ଆବଶ୍ୟକ ସରଞ୍ଜାମ ମିଳୁ ନଥିବାରୁ ମତ୍ସ୍ୟଜୀବିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସମୁଦ୍ର ଜୁଆରକୁ ଅପେକ୍ଷା କରି ବୋଟଗୁଡିକୁ ଚୂଡାମଣି ଘାଟ ମୁହାଣ ପର୍ଯ୍ୟନ୍ତ ଫେରିବାକୁ ପଡୁଛି। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗିରହିଥିଲେ ବି ମତ୍ସ୍ୟ ବିଭାଗର ନଜର ପଡୁନି । ମତ୍ସ୍ୟଜୀବି ସଂଘ ବିଗତ ଦିନରେ ବିଭାଗୀୟ ନିକଟରେ ଏହି ସବୁ ସମସ୍ୟା ସମ୍ପର୍କରେ ନିଜର ଦାବି ଉଠାଇଛନ୍ତି। କିନ୍ତୁ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ।
ପୂର୍ବରୁ ଚୂଡ଼ାମଣି ଘାଟରେ ୧୫୦ରୁ ଅଧିକ ମାଛଧରା ବୋଟ ଲାଗୁଥିଲା। ପଢୁଆଁ, କୁମାରପୁର, ନୂଆଗାଁ, ଇରମ, ଚୂଡ଼ାମଣି, ଅଡ଼ୁଆଁ, ଭୈରବପୁର, ସୁଦର୍ଶନପୁର, ମନ୍ଦାରୀ, ରାଧାନାଥପୁର, ରାଧାକାନ୍ତପୁର ଆଦି ଅଞ୍ଚଳର ମତ୍ସ୍ୟଜୀବି ମାଛ ମାରି ଘାଟକୁ ଫେରୁଥିଲେ। ଘାଟରେ ମାଛ ବିକି ଆବଶ୍ୟକ ସରଞ୍ଜାମ ଧରି ପୁଣି ମାଛ ମାରିବାକୁ ସମୁଦ୍ରକୁ ଯାଉଥିଲେ। ଏବେ ଚୂଡାମଣି ଘାଟରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ପୋତିହୋଇ ପଡ଼ିଥିବାରୁ ଆଉ ବୋଟଗୁଡିକ ଘାଟକୁ ଫେରିପାରୁନି। କେବଳ ଜୁଆରକୁ ଭରସା କରି ବୋଟଗୁଡିକ ଚୂଡାମଣି ଘାଟକୁ ଫେରୁଛି। ଯଦିଓ ମତ୍ସ୍ୟଜୀବିମାନେ ଜେଟିରେ ବୋଟ ଭିଡି ମାଛ ବିକ୍ରି କରୁଛନ୍ତି, ତଥାପି ବୋଟ ପାଇଁ ଜେଟି ଅଞ୍ଚଳରେ ବହୁ ଉପକରଣ ମିଳୁନି। ବାଧ୍ୟ ହୋଇ ବୋଟ ମାଲିକ ଘାଟରୁ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଜେଟିକୁ ଯାଉଛନ୍ତି। ସମୁଦ୍ରକୁ ବୋଟ ପଠାଇବା ଲାଗି ଅସୁବିଧାରେ ପଡୁଛୁ ବୋଲି କହିଛନ୍ତି ଚୂଡାମଣି ବୋଟ ମାଲିକ ସଂଘ ସଭାପତି ଶଶିକାନ୍ତ ନାୟକ, ସମ୍ପାଦକ ହେମନ୍ତ କୁମାର ଜେନା, ଉପସଭାପତି ସୁନନ୍ଦ ମଲିକ, ରବିନ୍ଦ୍ର ନାୟକ ଓ ବଳରାମ ମୁଦୁଲି। ସମସ୍ୟା ସମ୍ପର୍କରେ ବହୁ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଓ ବିଧାୟକଙ୍କୁ ଅବଗତ କରିଥିଲେ ବି ସୁଧାର ଆସିପାରିନି। ଚୂଡାମଣି ଘାଟରୁ ଜେଟିକୁ ଉପକରଣ ଧରି ଯିବାକୁ ପଡୁଥିବା ମତ୍ସ୍ୟଜୀବୀ କହୁଛନ୍ତି ।
ତା' ଛଡ଼ା ଚୂଡାମୁଣି ପୋଲଠାରୁ ମୁହାଣ ଯାଏ ନଈଟି ପୋତି ହୋଇ ପଡ଼ିଥିବାରୁ ବନ୍ୟା ପାଣି ନିଷ୍କାସନରେ କ୍ଷତିଗ୍ରସ୍ତ ନଈକୁ ନେଇ ବାଧା ଉପୁଜୁଛି। ଘାଟରୁ ମୁହାଣ ପର୍ଯ୍ୟନ୍ତ ଖୋଳାଗଲେ ଚାଷୀଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀମାନେ ଉପକୃତ ହୋଇ ପାରନ୍ତେ। ଦିନ ଥିଲା ଇଲିଶ୍ ମାଛ ଉତ୍ପାଦନରେ ଚୂଡାମଣି, କସିଆ ଓ ଧାମରା ଓଡ଼ିଶାରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା। ଚୂଡାମଣି ଇଲିସିର ବାସ୍ନା ଥିଲା ନିଆରା। ରାତି ପାହିଲେ ଏହି ପାରମ୍ପରିକ ମାଛଧରା ବନ୍ଦରରୁ ପ୍ରତିଦିନ ପ୍ରାୟ ୫ ଶହ କୁଇଣ୍ଟାଲରୁ ଅଧିକ ଇଲିସି ମାଛ ଧରା ଯାଉଥିଲା। ଏଠାରୁ ଇଲିସି ମାଛ ରାଜଧାନୀଠାରୁ ଆରମ୍ଭ କରି କଟକ, ବ୍ରହ୍ମପୁର ଓ ସମ୍ବଲପୁର ପର୍ଯ୍ୟନ୍ତ ପଠାଯାଉଥିଲା। କଲିକତାରେ ଗଙ୍ଗା ଇଲିସି ଭଳି ଭଦ୍ରକ ଜିଲ୍ଲାର ଚୂଡାମଣି ଇଲିସିର ଭାଉ କଲିକତାରେ ରହିଥିଲା। ଆଜି ଏହି ବନ୍ଦର ଶ୍ରୀହୀନ ହୋଉଥିବାବେଳେ ଇଲିସି ସ୍ବପ୍ନ ପାଲଟିଛି।