ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ। ଏଠାରେ ପ୍ରାୟ ୯୦ ପ୍ରତିଶତ ଆଦିବାସୀ ଲୋକ ବସତି ସ୍ଥାପନ କରୁଛନ୍ତି।ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କ ପରମ୍ପରା ଅନୁଯାୟୀ ଯାତ୍ରା ପର୍ବପର୍ବାଣୀ ସହ ଶୁଭ ଓ ଅଶୁଭ କାର୍ଯ୍ୟରେ ମଦର ନିହାତି ଆବଶ୍ୟକ ପଡିଥାଏ। କିନ୍ତୁ ବର୍ତ୍ତମାନ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା ଯୋଗୁଁ ମଦ ଉପରେ ଗୁରୁତ୍ୱ ନଦେଇ ଥଣ୍ଡା ପାନୀୟ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି।ତେଣୁ କିଛି ମାତ୍ରାରେ ମଦର ବ୍ୟବହାର କମି ଥିବାର ଦେଖିବାକୁ ମିଳିଛି।
ଗତଦିନଗୁଡିକରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ କରି ବିହାଵ କାର୍ଯ୍ୟରେ ଝିଅ ଘରକୁ ଝିଅ ମାଗିବା ପାଇଁ ଯିବା ସମୟରେ ମଦ ନେଇ ଯିବାର ପରମ୍ପରା ରହିଥିବା କୁହାଯାଉଛି। ସେଠାରେ ଉଭୟ ଝିଅ ଓ ପୁଅ ପକ୍ଷର ଲୋକମାନଙ୍କୁ ଭୋଜି ଭାତର ଆୟୋଜନ ସହ ଅତିଥି ସତ୍କାର କରାଯାଏ। ସେହିଭଳି ବର ଘରେ ବାହାଘର ଭଜି ଦିନ ମଧ୍ୟ ବହୁ ଆଡମ୍ବର ସହକାରେ ଭୋଜିଭାତର ଆୟୋଜନ ସହ ମଦର ବ୍ୟବସ୍ଥା ହୋଇଥାଏ। ସେହିଭଳି ଛୋଟ ଛୋଟ କାର୍ଯ୍ୟକ୍ରମ ହେଲେ ମଧ୍ୟ ମଦର ବ୍ୟବହାର ହେଉଛି।ବିଭିନ୍ନ ସମୟରେ ମଦ୍ୟପାନ କରି ବିଶୃଙ୍ଖଳା ଦେଖାଛି। ସେହିପରି ମଦ୍ୟପାନ ଦ୍ୱାରା ଶରୀର କ୍ଷତି ସହ ମୃତ୍ୟୁ ମୁଖରେ ପଡି ସଂସାର ଉଜୁଡି ଯାଉଛି। କିନ୍ତୁ ବର୍ତ୍ତମାନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯୁବକ ଯୁବତୀମାନେ ଶିକ୍ଷିତ ହେବା ପରେ ମଦ ଦେହ ପକ୍ଷେ କେତେ କ୍ଷତିକାରକ ଏବଂ ମଦ ଯୋଗୁଁ ନିଜର ସଂସାର ବିପଦପୂର୍ଣ୍ଣ ବୋଲି ନିଜେ ସଚେତନ ହେବା ପରେ ଅନ୍ୟ ମାନଙ୍କୁ ସଚେତନତା କରି ମଦ ବ୍ୟବହାର ଉପରେ ଏକ ପ୍ରକାର ରୋକ ଲଗାଇବାରେ ସଫଳ ହୋଇଥିବା କୁହାଯାଇଛି।
ସଚେତନତା ପରେ ବର୍ତ୍ତମାନ ଧୀରେ ଧୀରେ ମଦ ବ୍ୟବହାର କମିଥିବା ବେଳେ ପ୍ରାୟ କାର୍ଯ୍ୟକ୍ରମରେ ଥଣ୍ଡା ପାନୀୟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକ [ନୁଯାୟୀ ଥଣ୍ଡା ପାନୀୟ ବଜାରରୁ ନେଇ ଅତିଥିମାନଙ୍କୁ ଯୋଗାଇ ଦିଆଯାଉଛି। ଯାହାକି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଏବଂ ଅନ୍ୟମାନେ ମଧ୍ୟ ସଚେତନ ହୋଇ ମଦ ବ୍ୟବହାର ଠାରୁ ଦୂରରେ ରହିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଇଛି। ଅବଶ୍ୟ ଝରିଗାଁ ବ୍ଲକରେ ମଦ ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବା ବେଳେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନତା କଲେ ନିଶ୍ଚିତ ମଦ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି। ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଯୁବ ସଭାପତି ନବକିଶୋର ଗୌଡ଼ଙ୍କ କହିବା ପ୍ରକାରେ ଝରିଗାଁ ବ୍ଲକରେ ବସବାସ କରୁଥିବା ଆଦିବାସୀଙ୍କ ମଦ ବ୍ୟବହାର ଧୀରେ ଧୀରେ କମିବା ସହ ଥଣ୍ଡା ପାନୀୟ ବ୍ୟବହାର ବଢିଛି।କେମିକାଲ ଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର ନକରି ଦହି କିମ୍ବା ଲେମ୍ବୁ ପାଣି ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ।
ଝରିଗାଁ ବ୍ଲକ ପରଜା ସମାଜ ସଭାପତି ରବି ଜାନୀଙ୍କ କହିବା ପ୍ରକାରେ ଗତଦିନରେ ଆଦିବାସୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଦର ବହୁଳ ବ୍ୟବହାର ହେଉଥିଲା ବର୍ତ୍ତମାନ ଲୋକଙ୍କ ମାନସିକତା ପରିବର୍ତ୍ତନ ହେବା ପରେ ଥଣ୍ଡା ପାନୀୟ ଉପରେ ଗୁରୁତ୍ୱ ଦିଆଯାଉଛି।
ସମାଜସେବୀ ଉଦୟ ନାୟକଙ୍କ କହିବା ପ୍ରକାରେ ଝରିଗାଁ ବ୍ଲକ ବେଲଗାଁ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମାନେ ସଚେତନ ହୋଇ ମଦ ବଦଳରେ ଥଣ୍ଡା ପାନୀୟ ଜଳ ଉପରେ ଗୁରୁତ୍ୱ ଦେଉଥିବା ଦେଉଛନ୍ତି।
ସମାଜସେବୀ କିଶର ସାନ୍ତାଙ୍କ କହିବା ପ୍ରକାରେ କୁଟ୍ରିଛାପର ପଞ୍ଚାୟତ ରିବିନିଗୁଡ଼ା ଗ୍ରାମରେ ଯେକୋୖଣସି କାର୍ଯ୍ୟକ୍ରମ ହେଲେ ମଦର ଆବଶ୍ୟକ ପଡୁଥିଲା।ବର୍ତ୍ତମାନ କିନ୍ତୁ ଗ୍ରାମବାସୀ ସଚେତନ ହେବା ପରେ ବହୁଳ ମାତ୍ରାରେ ମଦ ବ୍ୟବହାର କମିଛି।ଥଣ୍ଡା ପାନୀୟ ଉପରେ ଗୁରୁତ୍ୱ ଦିଆଯାଉଛି।ସବୁ ଅଞ୍ଚଳରେ ଏଭଳି ସଚେତନ ହୋଇ ମଦରୁ ଦୁରେଇ ରହିବାର ଆବଶ୍ୟକତା ରହିଛି।