ରାଜ୍ୟର ମୁଖ୍ୟ ସଚିବ ପଦରୁ ଅବସର ପରେ ଷ୍ଟାଫ୍‌ ସିଲେକସନ୍‌ କମିସନ୍‌ର ଅଧ୍ୟକ୍ଷ, ତା’ପରେ ମାନବାଧିକାର କମିସନ୍‌ର ସଦସ୍ୟ। ପୁଣି ସରକାରୀ ପଦବିରୁ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପର ମୁଖ୍ୟ ଏବଂ ଶେଷରେ କଂଗ୍ରେସ ଦଳରେ ଯୋଗଦେଇ ରାଜନୀତିରେ ପ୍ରବେଶ। ଏହାପରେ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଓ ଶେଷରେ ବିଧାନସଭା ନିର୍ବାଚନ‌ରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜୟ। ପ୍ରଶାସକରୁ ନେତା ବନିଥିବା ବିଜୟ କୁମାର ପଟ୍ଟନାୟକ ସଂପ୍ରତି କଂଗ୍ରେସରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସାକ୍ଷାତ୍‌ କରିଛନ୍ତି ‘ରବିବାର ସମ୍ବାଦ’ର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ସ୍କୁଲ୍‌ର ଚଗଲା ପିଲା ହେଲା ଆଇଏଏସ୍   
ଆଜିର ବିଜୟ କୁମାର ପଟ୍ଟନାୟକ ଖୁବ୍‌ ଧୀରସ୍ଥିର ତଥା ସମ୍ଭ୍ରାନ୍ତ ମଣିଷ। ହେଲେ ସମୟ ଥିଲା ସାଙ୍ଗମାନଙ୍କ ସହ ଲୁଚିଛପି ପାଖପଡ଼ୋଶୀଙ୍କ ବାଡ଼ିରେ ପଶି କୋଳି ଖାଇବାରୁ ଖୁବ୍ ଆନନ୍ଦ ପାଉଥିଲେ। ସେଦିନର କଥା ମନେପକାଇ ସେ କହନ୍ତି, ‘‘କାଲି ପରି ଲାଗୁଛି। ମୁଁ ଭୁବନେଶ୍ବରର ୟୁନିଟ୍‌ ୧ ସରକାରୀ ସ୍କୁଲ୍‌ରେ ପଢୁଥିଲି। ଖେଳଛୁଟି ସମୟରେ ଆମେ ସାଙ୍ଗମାନେ ଏକାଠି ହୋଇ ବିଭିନ୍ନ ଲୋକଙ୍କ ବାଡ଼ିରେ ପଶି ଜାମୁ, ପିଜୁଳି, ବରକୋଳି ଓ ଆମ୍ବ ତୋଳି ଖାଉଥିଲୁ। ଏଥିପାଇଁ ଅନେକ ଥର ଧରାପଡ଼ି ଗାଳି ଖାଇଛୁ ଏବଂ ସ୍କୁଲ୍‌ରେ ମାଡ଼ ଖାଇଛୁ। ହେଲେ ଲୁଚିକି ପର ବାଡ଼ିରେ ପଶି କୋଳି, ପିଜୁଳି ଓ ଆମ୍ବ  ଆଣି ଖାଇବାର ଅଭ୍ୟାସ ଛାଡ଼ି ପାରି ନଥିଲୁ। ସେସବୁ ଦୁଷ୍ଟାମିର ଅଭୁଲା ଦିନ ସବୁ ନିଆରା। ଥରେ ଜଣେ ବ୍ୟକ୍ତି ଆସି ସ୍କୁଲ୍‌ରେ ମୁଁ ଓ ମୋର ଦୁଇଜଣ ସାଙ୍ଗଙ୍କ ବିରୋଧରେ ଅଭିଯୋଗ କଲେ। ସାର୍ ଆମକୁ ମାରିବାକୁ ବାହାରିଲା ବେଳକୁ ସେହି ବ୍ୟକ୍ତି ଜଣକ କହିଲେ, ପିଲାଙ୍କୁ ମାରନ୍ତୁନି, ଟିକିଏ ଧମକଚମକ ଦେଇ ଛାଡ଼ିଦିଅନ୍ତୁ। ଗଛରେ ଚଢୁଛନ୍ତି କାଳେ ପଡ଼ିଯିବେ ସେଥିପାଇଁ କହିଲି। ଏହି ଘଟଣା ମୋର ସବୁବେଳେ ମନେ ରହିବ।’’
ଇଏତ ଗଲା ସ୍କୁଲ୍‌ ଜୀବନର କଥା। ପାଠପଢ଼ି ହାକିମ ବନିବା ପ୍ରସଙ୍ଗ ଆସିଲେ ଭାବବିହ୍ବଳ ହୋଇ ପଡ଼ନ୍ତି ସେ। ଏହାର ସବୁ ଶ୍ରେୟ ସେ ବାପା-ମା’ଙ୍କୁ ହିଁ ଦିଅନ୍ତି। ସେ ସ୍ମୃତିଚାରଣ କରନ୍ତି, ‘‘ବାପା ଗୋପାଳ ରାଓ ପଟ୍ଟନାୟକଙ୍କ ଯୋଗୁ ମୁଁ ଆଇଏଏସ୍ ହୋଇପାରିଛି। ସେ ପିଲାବେଳୁ ମୋତେ ଆଇଏଏସ୍ ହେବାପାଇଁ ଉତ୍ସାହିତ କରିଥିଲେ। ସେ ନିଜେ ପ୍ରମୋସନ୍ ପାଇ ଆଇଏଏସ୍ ହୋଇଥିଲେ। ଅଙ୍କ କଷାଇବା ସମୟରେ ସେ ସବୁବେଳେ କହୁଥିଲେ ଯେ ଉତ୍ତର ପାଇବାକୁ ବ୍ୟଗ୍ର ନହୋଇ ଗଣିତର ପ୍ରତ୍ୟେକ ଧାରାକୁ ଓ ସୂତ୍ରକୁ ବୁଝିଲେ ସଫଳତା ମିଳିବ। ସେହିପରି ମା’ ସୁଭଦ୍ରା ପଟ୍ଟନାୟକ ମୋର ଜ୍ଞାନଦାତ୍ରୀ। ଯେତେ ଛୋଟ ପିଲା ହେଲେ ବି ସେ ଯଦି କିଛି କହୁଛି ତାକୁ ଶୁଣିବା ଦରକାର ଏବଂ ସେଥିରୁ ନିଶ୍ଚିତ କିଛି ଜ୍ଞାନ ମିଳିବ ବୋଲି ସେ ମୋତେ ଶିକ୍ଷା ଦେଇଥିଲେ।’’

ମାତ୍ର ଦେଢ଼ବର୍ଷ ତଳେ ଆପଣ କଂଗ୍ରେସ ଦଳ‌ରେ ଯୋଗଦେଇ ଥିଲେ। ହଠାତ୍‌ ଇସ୍ତଫା ଦେଲେ କାହିଁକି ଏବଂ ଆପଣଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ରହିବ?
ଓଡ଼ିଶାର ଲୋକମାନଙ୍କ ବିକାଶ କରିବା ଲକ୍ଷ୍ୟ ନେଇ ମୁଁ କଂଗ୍ରେସରେ ଯୋଗ ଦେଇଥିଲି। ମୁଁ ଦେଖିଲି ତାହା ହୋଇପାରିଲା ନାହିଁ। ତେଣୁ ରାଜନୀତିରୁ ଅବ୍ୟାହତି ନେବା ପରେ ପୂର୍ବରୁ ଯେପରି ବ୍ୟକ୍ତିଗତ ସ୍ତରରେ କୃଷି ଓ ପ୍ରାଥମିକ ଶିକ୍ଷାର ପ୍ରଗତି ପାଇଁ କାର୍ଯ୍ୟକ୍ରମ କରୁଥିଲି ସେପରି କାର୍ଯ୍ୟ କରିବି। ଓଡ଼ିଶାରେ ଗୋଟିଏ ଦୃଢ଼ ଓ ସଶକ୍ତ ନାଗରିକ ସମାଜ ବା ସିଭିଲ୍‌ ସୋସାଇଟି ପ୍ରତିଷ୍ଠା କରି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହେଉଥିବା ଜନକଲ୍ୟାଣମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଧ୍ୟାନ ଦେବି।  

ଅବସରର ପ୍ରାୟ ୧୦ ବର୍ଷ ପରେ ଆପଣ ରାଜନୀତିକୁ କାହିଁକି ଆସିଲେ? କ’ଣ ଆବଶ୍ୟକତା ପଡ଼ିଲା? 
ଦୁଇଟି ଲକ୍ଷ୍ୟ ନେଇ ମୁଁ ରାଜନୀତିକୁ ଆସିଥିଲି। ମୁଁ ଦେଖିଲି, ମୋ ରାଜ୍ୟରେ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ନବୀନବାବୁ ମିଶି କୁଶାସନ ଓ ସ୍ୱେଚ୍ଛାଚାରିତା ଚଳାଇଲେ ଏବଂ ଭାବିଲେ ସେମାନେ ଯାହା ଚାହିଁବେ ତାହା କରିବେ। ସେମାନଙ୍କର ଏହି କୁଶାସନ ଓ ସ୍ୱେଚ୍ଛାଚାରିତାକୁ ରୋକିବାକୁ ମୁଁ ରାଜନୀତିରେ ଯୋଗଦେଲି।  
ଦ୍ବିତୀୟରେ, ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ବିଗତ ୨୪ ବର୍ଷରେ ଓଡ଼ିଶା ଯେପରି ଅବହେଳିତ ହୋଇ ରହିଲା ସେଥିରେ ପରିବର୍ତ୍ତନ ଆଣିବାକୁ ମୁଁ ରାଜନୀତିକୁ ଆସିଲି। ହୁଏତ ଆପଣ କହିବେ ଯେ ଏତେସବୁ ବଡ଼ ବଡ଼ ପ୍ରଶାସନିକ ପଦବିରେ ରହି ମୁଁ କାହିଁକି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ବିକାଶ ଆଣିପାରିଲିନି? ଏହାର ଉତ୍ତର ହେଉଛି ସରକାରୀ କ୍ଷମତା ନଥିଲେ ଅନେକ କାର୍ଯ୍ୟ ଚାହିଁଲେ ବି ଜଣେ ପ୍ରାଶାସନିକ ଅଧିକାରୀ କରିପାରିବ ନାହିଁ। ସେଥିପାଇଁ ମୁଁ ସକ୍ରିୟ ରାଜନୀତିରେ ଯୋଗଦେଲି। ରାଜ୍ୟର ବିକାଶକୁ ଆଗକୁ ନେବାକୁ ହେଲେ ରାଜନୀତି ହେଉଛି ଗୋଟିଏ ବଡ଼ ପ୍ଲାଟ୍‌ଫର୍ମ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଦୁର୍ନୀତି ପାଇଁ କେତେକ ଆପଣଙ୍କୁ ଦାୟୀ କରନ୍ତି। ଏ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ଆପଣଙ୍କୁ ସମାଲୋଚନା ବି ବଢ଼ିଛି। ଏ ବିବାଦକୁ ନେଇ ଆପଣଙ୍କ ମତ କ’ଣ?  
ଦେଖନ୍ତୁ, ମୁଁ ମୋ କାର୍ଯ୍ୟ ନିଷ୍ଠା ଓ ସାଧୁତାର ସହ କରିଛି। ଆଜି ବି ଏହାକୁ ନେଇ ମୋର ମତ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଭୀକ। ମୁଁ ସବୁବେଳେ ଶିକ୍ଷାର ପ୍ରସାରକୁ ଗୁରୁତ୍ୱ ଦେଇଆସିଛି। ବେଦାନ୍ତ ବିଶ୍ୱବିଦ୍ୟାଳୟ ଯୋଜନା ମୋତେ ଭଲ ଲାଗିଥିଲା। ମୋ ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ହୋଇପାରିବ ବୋଲି ମୁଁ ହୃଦ୍‌ବୋଧ କଲି। ସେଥିପାଇଁ ମୁଁ ଏହାକୁ ସ୍ଥାପନ କରିବାକୁ ଚାହୁଁଥିଲି। ଅବସର ପରେ ମୁଁ ନିଜେ ବେଦାନ୍ତ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଓ ଶିକ୍ଷାବ୍ୟବସ୍ଥାକୁ ପ୍ରସ୍ତୁତ କରିଥିଲି। ମୁଁ ଦୁଇଜଣ ନୋବେଲ୍‌ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ପରିଚାଳନା କମିଟିରେ ରଖିଥିଲି। ସେତେବେଳେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ମଧ୍ୟ ଏହି ବିଶ୍ବବିଦ୍ୟାଳୟକୁ ନିଜ ନିଜ ରାଜ୍ୟରେ ସ୍ଥାପନ କରିବାକୁ ପ୍ରତିଯୋଗିତା କରୁଥିଲେ। ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ଦିଗରେ ଆଗୁଆ ଥିଲେ। ସୁପ୍ରିମ୍‌କୋର୍ଟଙ୍କ ରାୟ ମୁଁ ପଢ଼ିନି। କିନ୍ତୁ, ସର୍ବୋଚ୍ଚ ଅଦାଲତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ କେବେ ଭୁଲ୍‌ ବୋଲି କହିନାହାନ୍ତି। ପ୍ରଧାନ ବିଚାରପତିଙ୍କଠାରୁ ନେଇ ସମସ୍ତ ବିଚାରପତି ପ୍ରଶ୍ନ କରିଛନ୍ତି ଏତେ ବଡ଼ ଗୋଟିଏ ଶିକ୍ଷାନୁଷ୍ଠାନ ସ୍ଥାପନାକୁ ଆପଣମାନେ କାହିଁକି ବିରୋଧ କରୁଛନ୍ତି? କିନ୍ତୁ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ କିଛି ତ୍ରୁଟି ରହିଲା ବୋଲି ଏହାକୁ ବାତିଲ କରାଗଲା।

ଆପଣ ନବୀନବାବୁଙ୍କ ଦୁଇ ଘନିଷ୍ଠଙ୍କୁ ଖୁବ୍‌ ନିକଟରୁ ଦେଖିଛନ୍ତି। ପ୍ୟାରୀମୋହନ ମହାପାତ୍ରଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି ଏବଂ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଆପଣଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି। ଉଭୟଙ୍କୁ ଆପଣ କିଭଳି ଆକଳନ କରନ୍ତି?  
ସାର୍ (ପ୍ୟାରୀମୋହନ ମହାପାତ୍ର) ମୋ ଜୀବନର ହିରୋ ଥିଲେ। ମୁଁ ନୂଆକରି ଚାକିରିରେ ଯୋଗ ଦେଇ ରାୟଗଡ଼ା ସବ୍‌-କଲେକ୍ଟର୍‌ ଥାଏ। ସେ ଥାଆନ୍ତି ଦଣ୍ଡକାରଣ୍ୟ ପ୍ରକଳ୍ପର ମୁଖ୍ୟ ପ୍ରାଶାସନିକ ଅଧିକାରୀ। ମୋ ଦେଖାନ୍ତରେ ତାଙ୍କ ଭଳି ଦକ୍ଷ ଓ ନିର୍ଭୀକ ଆଇଏଏସ୍ ଅଫିସର ବିରଳ। ତାଙ୍କର ଆଇଏଏସ୍ ଟ୍ରେନିଂ ସମୟର ଗୋଟିଏ ଘଟଣା ସେ ମୋତେ ଥରେ କହିଥିଲେ। ସେହି ଘଟଣାଟି ମୋତେ ପରବର୍ତ୍ତୀ ସମୟରେ ବହୁତ ପ୍ରଭାବିତ ଓ ଅନୁପ୍ରାଣିତ କରିଥିଲା। ପିପିଲି ବ୍ଲକ୍‌ ଅଫିସ୍‌ରେ ପ୍ୟାରୀବାବୁ ଟ୍ରେନିଂ ନେବା ସମୟରେ ଜଣେ ବରିଷ୍ଠ ଆଇଏଏସ୍ ଅଫିସର (ମୁଁ ନାଁ କହିବିନି) ପରିଦର୍ଶନରେ ଆସିଲେ। ପ୍ୟାରୀବାବୁ ସିଗାରେଟ୍‌ ଟାଣିବାକୁ ବାରମ୍ବାର ବାହାରକୁ ଯାଉଥାଆନ୍ତି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏହା ବରଦାସ୍ତ କରିପାରିଲେନି। ହଠାତ୍‌ ସେ ରାଗିଯାଇ  ପ୍ୟାରୀବାବୁଙ୍କୁ କହିଲେ, ‘ଟୁ ହୁଇଚ୍‌ ବ୍ଲଡି ସର୍ଭିସ୍‌ ୟୁ ବିଲଙ୍ଗ୍‌’? ପ୍ରୋବେସନ୍‌ରେ ଥିବା ପ୍ୟାରୀବାବୁ ଉକ୍ତ ବରିଷ୍ଠ ଅଧିକାରୀଙ୍କୁ ଉତ୍ତର ଦେଇଥିଲେ, ‘ଦ ସେମ୍ ବ୍ଲଡି ସର୍ଭିସ ଟୁ ହୁଇଚ୍‌ ୟୁ ବିଲଙ୍ଗ୍’।
ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍‌ ଯେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ଆସିଲା ସେତେବେଳେ ମୋର ଚାକିରିର ଅବସର ସମୟ ପ୍ରାୟ ପାଖେଇ ଆସିଥିଲା। ପାଣ୍ଡିଆନ୍‌ ଯେତେବେଳେ ସବ୍-କଲେକ୍ଟର୍‌ ଏବଂ ପରେ ମୟୂରଭଞ୍ଜ କଲେକ୍ଟର୍‌ ଥିଲା ସେତେବେଳେ ମୋର ତା’ ପ୍ରତି ଧାରଣା ଠିକ୍‌ ଥିଲା। କିନ୍ତୁ  ନବୀନଙ୍କ କାର୍ଯ୍ୟାଳୟକୁ ଆସିବା ପରେ ମୋର ତା’ ପ୍ରତି ରହିଥିବା ଧାରଣା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପାଣ୍ଡିଆନ୍‌ କ’ଣ ଆପଣମାନେ ସମସ୍ତେ ଜାଣିଛନ୍ତି। ଅଧିକ କିଛି କହିବାର ଆବଶ୍ୟକତା ନାହିଁ।