ହରାରେ: ହରାରେଠାରେ ବୁଧବାର ଖେଳାଯାଇଥିବା ଭାରତ-ଆଫଗାନିସ୍ତାନ ୧୯ବର୍ଷର କମ୍‌ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଏକ ବିଚିତ୍ର ଘଟଣା ଘଟିଥିଲା। ଏହି ମ୍ୟାଚ୍‌ର ଏକ ଓଭରରେ ଭାରତୀୟ ବୋଲର୍‌ ନୋ’ କିମ୍ବା ୱାଇଡ୍‌ ବଲ୍‌ ପକାଇ ନଥିଲେ। ହେଲେ ଆଫଗାନିସ୍ତାନକୁ ଗୋଟିଏ ବଲ୍‌ରୁ ୯ ରନ୍‌ ମିଳିଯାଇଥିଲା। ଘଟଣାଟି ଘଟିଥିଲା ଆଫଗାନିସ୍ତାନ ପାଳିର ସପ୍ତଦଶ ଓଭରରେ।

Advertisment

ଜୁନିଅର୍‌ ଟିମ୍‌ ଇଣ୍ଡିଆର ପ୍ରମୁଖ ବୋଲର୍‌ ଦୀପେଶ ଦେବେନ୍ଦ୍ରନ୍‌ ତାଙ୍କର ଏହି ଅସ୍ବାଭାବିକ ଓଭରର ପ୍ରଥମ ପାଞ୍ଚ ବଲ୍‌ରେ ମାତ୍ର ଗୋଟିଏ ରନ୍‌ ବ୍ୟୟ କରିଥିଲେ। ଶେଷ ବଲ୍‌ କିନ୍ତୁ ନାଟକୀୟ ମୋଡ଼ ଆଣିଥିଲା। ଆଫଗାନ ବ୍ୟାଟର୍‌ ଫୈଜଲ ସିନୋଜାଦା ଲେଗ୍‌ ସାଇଡ୍‌ରେ ଥିବା ଏହି ବଲ୍‌କୁ ସଟ୍‌ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ତାଙ୍କ ସହ ଭାରତୀୟ ୱିକେଟ୍‌ ରକ୍ଷକ ଅଭିଜ୍ଞାନ କୁଣ୍ଡୁଙ୍କ ଚକ୍‌ମା ଦେଇ ପଛକୁ ଗଡ଼ି ଯାଇଥିଲା। ତା’ସହିତ ଭାରତୀୟ ଦଳ ପଡ଼ିଆରେ ରଖିଥିବା ଏକ ହେଲମେଟ୍‌ରେ ବାଜି ସୀମା ରେଖା ଅତିକ୍ରମ କରି ଯାଇଥିଲା। ଫଳରେ ଆଫଗାନିସ୍ତାନକୁ ଏକ ଚୌକା ସହ ୫ ପେନାଲ୍ଟି ରନ୍‌ ମଧ୍ୟ ମିଳିଯାଇଥିଲା। ଗୋଟିଏ ବଲ୍‌ରୁ ଏହି ଦଳ ଭାଗ୍ୟ ବଳରେ ମୋଟ ୯ ରନ୍‌ ପାଇଥିଲା। ଏହି କ୍ଷେତ୍ରରେ ଅମ୍ପାୟାର ଏମ୍‌ସିସି ନିୟମ ୨୮.୩.୨ର ଉପଯୋଗ କରିଥିଲେ।

ଏହି ନିୟମ ଅନୁସାରେ ଯଦି କ୍ଷେତ୍ରରକ୍ଷଣ କରୁଥିବା ଦଳ ପଡ଼ିଆରେ ରଖିଥିବା ହେଲମେଟ୍‌ରେ‌ କୌଣସି କରଣରୁ ବଲ୍‌ ବାଜି ଯାଏ, ତାହେଲେ ବ୍ୟାଟିଂ କରୁଥିବା ଦଳକୁ ୫ ପେନାଲ୍‌ଟି ରନ୍‌ ପ୍ରଦାନ କରାଯାଇଥାଏ। ଏହା ପୂର୍ବରୁ ଯଦି କୌଣସି ରନ୍‌ ବ୍ୟାଟିଂ ଦଳ ଅର୍ଜନ କରିଥାଏ, ତାହେଲେ ମଧ୍ୟ ସେହି ରନ୍‌କୁ ପେନାଲ୍‌ଟି ୫ ରନ୍‌ରେ ଯୋଡ଼ି ଦିଆଯାଇଥାଏ।