ମାର୍ଚ୍ଚ ୨୨ରୁ ଭାରତକୁ ସବୁ ଅନ୍ତର୍ଜାତୀୟ ଫ୍ଲାଇଟ ବନ୍ଦ

୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଘରେ ରହିବାକୁ କୁହାଗଲା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ କେନ୍ଦ୍ର ସରକାର ଆଉ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ବିଶ୍ୱଠାରୁ ଭାରତକୁ ଆଲଗା କରିଦିଆଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୨ ତାରିଖଠାରୁ ୧ ସପ୍ତାହ ପାଇଁ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଏୟାରଲାଇନ୍ସର ଫ୍ଲାଇଟ ଭାରତରେ ଓହ୍ଲାଇପାରିବ ନାହିଁ । ଏହି ଅବଧି ପୂରଣ ହେବା ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।
ଅନ୍ୟପକ୍ଷରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରି ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ପିଲାମାନଙ୍କୁ ଘରେ ରହିବା ପାଇଁ କହିଛନ୍ତି । ସେହିପରି କେବଳ ଦିବ୍ୟାଙ୍ଗ,ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଛାଡ଼ିଦେଲେ ଅନ୍ୟସମସ୍ତ ରିହାତି ମୂଳକ ଯାତ୍ରା ବନ୍ଦ କରିବାକୁ ରେଳବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ବୟସ୍କ ଲୋକଙ୍କ ପ୍ରତି କରୋନା ଭାଇରସ ସଂକ୍ରମଣରୁ ସର୍ବାଧିକ ବିପଦର ଆଶଙ୍କା ରହିଛି ବୋଲି ଇତି ମଧ୍ୟରେ ପ୍ରମାଣିତ ହୋଇସାରିଛି । ଏଣୁ ଦେଶର ବୟସ୍କ ଲୋକମାନେ ଯେପରି କରୋନା ଦାଉରୁ ସୁରକ୍ଷିତ ରହିପାରିବେ ସେଥିପାଇଁ ସରକାର ଏସବୁ ପରାମର୍ଶ ଜାରି କରିଛନ୍ତି ।
ଗତ କାଲି କେନ୍ଦ୍ର ସରକାର ବିଭିନ୍ନ ବୃଦ୍ଧାଶ୍ରମରେ ରହୁଥବା ବୟସ୍କ ଲୋକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବାକୁ ଗାଇଡଲାଇନ ଜାରି କରିଥିଲେ । ଏହା ଅନୁସାରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୁରନ୍ତ ନଜର ଦିଆଯିବ । ସେହିପରି ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କର ନିୟମିତ ସ୍ୱାସ୍ଥ୍ୟପରୀକ୍ଷା, ତାପମାତ୍ରା ପରୀକ୍ଷା କରାଯିବ । ଜ୍ୱର, ଥଣ୍ଡା ଆଦି ଥିଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ । ଏହି ଗାଇଡଲାଇନ ପାଳନ ଯେପରି ହୋଇପାରିବ ସେଥପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ୧୭ଟି ଏନଜିଓ, ଆଞ୍ଚଳିକ ସମ୍ବଳ ତାଲିମ କେନ୍ଦ୍ର , ବୃଦ୍ଧାଶ୍ରମଗୁଡ଼ିକୁ କୁହାଯାଇଛି ।

ସମ୍ବନ୍ଧିତ ଖବର