ଭୁବନେଶ୍ବର : ଭାରତରେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ କେନ୍ଦ୍ର ସରକାର ସାମୟିକ ଭାବେ କୋଭିସିଲଡ ଟିକା ରପ୍ତାନିକୁ ସ୍ଥଗିତ ରଖିଛନ୍ତି । ଦେଶରେ କରୋନା ଟିକା ଚାହିଦା ପୂରଣ କରିବା ପରେ ପରବର୍ତ୍ତିକାଳରେ ବିଦେଶକୁ ରପ୍ତାନି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ଦେଶରେ ଟିକା ଚାହିଦା ଆହୁରି ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଗତ କାଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତରେ ଯେତିକି ଲୋକଙ୍କୁ ଟିକା ଦିଆଯାଇଛି, ତାଠାରୁ ଅଧିକ ଟିକା ରପ୍ତାନି କରାଯାଇଛି । ଏହାକୁ ନେଇ କେତେକ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା ।
ଭାରତରେ ଗତ କିଛି ଦିନ ହେଲା ପୁଣି କରୋନା ସଂକ୍ରମଣ ଚିନ୍ତାଜନକଭାବେ ବୃଦ୍ଧି ପାଇଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୫୩,୪୭୬ ଟି ନୂଆ କରୋନା ମାମଲା ଦେଖାଦେଇଛି । ଭାରତରେ ପୁଣି ଗତ ବର୍ଷ ପରି କରୋନା ସଂକ୍ରମଣ ବଢିଚାଲିଥିବାବେଳେ ବିଦେଶକୁ ଟିକା ରପ୍ତାନିକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠିଥିଲା । ଏପରିକି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଥିଲେ ।
ସୂଚନାଯୋଗ୍ୟ ଯେ ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଭାରତରେ କୋଭିସିଲଡ ନାମରେ ଉତ୍ପାଦନ କରୁଛି ।