ନୂଆଦିଲ୍ଲୀ: ଭାରତ ୯ମ ଥର ପାଇଁ ହକି ଏସିଆ କପର ଫାଇନାଲରେ ପ୍ରବେଶ କରିଛି। ରବିବାର ଟାଇଟଲ୍ ମ୍ୟାଚ୍‌ରେ ୫ ଥର ଚାମ୍ପିଅନ୍ ଦକ୍ଷିଣ କୋରିଆ ସହ ଭାରତ ମୁହାଁମୁହିଁ ହେବ | ଆଜି ଟିମ୍ ଇଣ୍ଡିଆ ସୁପର-୪ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଚୀନ୍‌କୁ ୭-୦ରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ଅଭିଷେକ ୨ଟି ଗୋଲ ସ୍କୋର କରିଥିଲେ। ଦିଲପ୍ରୀତ ସିଂହ, ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ ଏବଂ ରାଜକୁମାର ପାଲ ମଧ୍ୟ ୧-୧ ଗୋଲ କରିଥିଲେ। ଦଳ ହାଫ୍ ଟାଇମ୍‌ ସୁଦ୍ଧା ୩-୦ରେ ଆଗୁଆ ଥିଲା। ତା’ପରେ ଶେଷ ହାଫ୍‌ରେ ଆଉ ୪ ଗୋଲ୍ ସ୍କୋର କରି ୭-୦ରେ ବିଜୟ ହାସଲ କରିଥିଲା।

Advertisment

ଶନିବାର ସୁପର-୪ ପର୍ଯ୍ୟାୟରେ ଦକ୍ଷିଣ କୋରିଆ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ସୁପର-୪ ପର୍ଯ୍ୟାୟରେ ୨-୨ ମ୍ୟାଚରେ ପରାସ୍ତ ହୋଇ ମାଲେସିଆ ଏବଂ ଚୀନ୍ ବାଦ୍ ପଡ଼ିଥିଲେ। ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି, ଯେତେବେଳେ ଦକ୍ଷିଣ କୋରିଆ ପୁଲ୍ ଏବଂ ସୁପର-୪ ପର୍ଯ୍ୟାୟରେ ୨ଟି ମ୍ୟାଚ ହାରିଛି। ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସୁପର-୪ ପର୍ଯ୍ୟାୟ ମ୍ୟାଚ୍ ୨-୨ ଗୋଲରେ ଡ୍ର ରହିଥିଲା। ଦକ୍ଷିଣ କୋରିଆ ମଧ୍ୟ ଶେଷ ଦୁଇ ଥର ଚାମ୍ପିଅନ୍, ଦଳ ୨୦୨୨ରେ ମାଲେସିଆକୁ ଏବଂ ୨୦୧୭ରେ ଭାରତକୁ ଫାଇନାଲରେ ପରାସ୍ତ କରି ଟାଇଟଲ ଜିତିଥିଲା। ଭାରତ ଚତୁର୍ଥ ଥର ପାଇଁ ଏସିଆ କପ୍ ଜିତିବାର ସୁଯୋଗ ରହିଛି ।