ଭାରତ- ଶ୍ରୀଲଙ୍କା କୋଲକାତା ଟେଷ୍ଟ:ଟସ୍‌ ବିଳମ୍ବିତ

କୋଲକାତା : ମାତ୍ର ଅଢ଼େଇ ମାସର ବ୍ୟବଧାନ ପରେ ଶ୍ରୀଲଙ୍କା ଓ ଭାରତ ପୁଣି ଥରେ ମୁହାଁମୁହିଁ ହେଉଛନ୍ତି କୋଲକାତାର ଇଡେନ୍‌ ଗାର୍ଡେନ ମଇଦାନରେ। ମାତ୍ର ବର୍ଷା ବାଧକ ସାଜିଛି। ଇଡେନ୍‌ ଗାର୍ଡେନ ପଡ଼ିଆ ଓଦା ଥିବାର ଟସ୍‌ ବିଳମ୍ବିତ ହୋଇଛି।।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଶ୍ରୀଲଙ୍କାକୁ ଭାରତ ତା’ରି ମାଟିରେ ଧୂଳି ଚଟାଇଥିଲା। ତିନି ଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିଲା ଭାରତ। ତେବେ ଅଢ଼େଇ ମାସ ପରେ ପୁଣି ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜିଠାରୁ ଐତିହାସିକ ଇଡେନ୍‌ ଗାର୍ଡେନ୍‌ ପଡ଼ିଆରେ ଏହି ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ପ୍ରଥମ ଦିନରୁ ହିଁ ବର୍ଷା ବାଧକ ସାଜିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ବେଙ୍ଗଲ-ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବୁଧବାର ଦିନ ତମାମ ଝିପି ଝିପି ବର୍ଷା ଲାଗି ରହିବାରୁ ଇଡେନ୍‌ ପିଚ୍‌କୁ ସାରା ଦିନ ତମ୍ବୁ ତଳେ ରଖା ଯାଇଥିଲା। ଏପରିକି ବର୍ଷା ପାଇଁ ଉଭୟ ଦଳ ଗତକାଲି ଆଦୌ ଅଭ୍ୟାସ କରି ପାରି ନଥିଲେ। ସେଥିପାଇଁ ଗୁରୁବାର ଖେଳ ନିର୍ଧାରିତ ସମୟରେ ଆରମ୍ଭ ହେବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଥିଲା ଓ ଆଜି ଅମ୍ପାୟାର ଫିଲ୍ଡ ସମୀକ୍ଷା କରିବା ପରେ ପଡ୍ରା ଓଦା ଥିବାରୁ ଟସ୍‌ ପକାଇବା ବିଳମ୍ବିତ ହୋଇଛି।
ତେବେ ୯ଟା ୪୦ ମିନିଟ୍‌ରେ ଝିପି ଝିପି ବର୍ଷା ବନ୍ଦ ହୋଇ ଆକା ସାମାନ୍ୟ ନିର୍ମଳ ହେବା ପରେ ଗ୍ରାଉଣ୍ଡମ୍ୟାନମାନେ ପଡିଆରୁ ପାଲ ଉଠାଇ ନେଇଛନ୍ତି। ଅଶା କରାଯାଉଛି ଖୁବ୍‌ ଶୀଘ୍ର ଟସ୍‌ ପଡ଼ି ଖେଳ ଆରମ୍ଭ ହୋଇପାରେ।
ଗତ ଶ୍ରୀଲଙ୍କା ଗସ୍ତ ବେଳେ ଭାରତ ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଜିତି ୯-୦ ବିଜୟ ପାଇଥିଲା। ଏହା ପରେ ଅବଶ୍ୟ ଶ୍ରୀଲଙ୍କା ୟୁଏଇରେ ଖେଳିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ଆତ୍ମବିଶ୍ୱାସ ଫେରି ପାଇଥିଲା। ହେଲେ ଦିନିକିଆ ଶୃଙ୍ଖଳାରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୦-୫ରେ ପରାଜିତ ହୋଇଥିଲା। ଜୁଲାଇ-ଅଗଷ୍ଟର ଶ୍ରୀଲଙ୍କା ଗସ୍ତଠାରୁ ଭାରତ ୧୩ ଦିନିକିଆ ଏବଂ ୬ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଜିତି ସାରିଛି। ଭାରତୀୟ ଦଳରେ ଅଧିକାଂଶ ଖେଳାଳି ରଣଜୀ ଟ୍ରଫିରେ ସକ୍ରୀୟ ଥିବାରୁ ଟେଷ୍ଟକୁ ପୁଣି ଥରେ ଆପଣାଇବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ଅଶ୍ୱିନ ୩୦୦ ଓ୍ଵିକେଟ୍‌ଠାରୁ ମାତ୍ର ୮ ଓ୍ଵିକେଟ୍‌ ଦୂରରେ ରହିଛନ୍ତି। ୫୨ ଟେଷ୍ଟ ଖେଳି ୨୯୨ ଓ୍ଵିକେଟ୍‌ କରାୟତ କରିଛନ୍ତି। ଇଡେନ୍‌ ଟେଷ୍ଟରେ ତାଙ୍କ ପାଖରେ ବ୍ୟକ୍ତିଗତ ମାଇଲଖୁଣ୍ଟର ସୁଯୋଗ ରହିବ। ଦ୍ରୁତତମ ୩୦୦ ଓ୍ଵିକେଟର କୀର୍ତ୍ତିମାନ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବୋଲର ଡେନିସ୍‌ ଲିଲିଙ୍କ ନାଁରେ ରହିଛି। ସେ ୫୬ ଟେଷ୍ଟରେ ୩୦୦ ଓ୍ଵିକେଟ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର