ଧୋକା ଦେଲା ଚୀନ ନିର୍ମିତ ଟେଷ୍ଟ କିଟ୍, ଦକ୍ଷିଣ କୋରିଆ ନିର୍ମିତ କିଟ୍ ବ୍ୟବହାର କରିବ ଭାରତ

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ସମୟରେ ଚୀନ ଶସ୍ତା ଓ ତ୍ରୁଟିଯୁକ୍ତ ଟେଷ୍ଟ କିଟ ବିକ୍ରି କରି ଦେଶମାନଙ୍କୁ ଠକିଚାଲିଛି । ଭାରତରେ ମଧ୍ୟ ଚୀନ ନିର୍ମିତ ରାପିଡ ଟେଷ୍ଟିଂ କିଟ (ଆରଟି-ପିସିଆର)ରେ ଅନେକ ସମୟରେ ଭୁଲ ରିପୋର୍ଟ ଆସୁଥିବାରୁ ସରକାର ଆସନ୍ତା ଦୁଇଦିନ ପାଇଁ ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ।

 

ଏହା ପରେ ଭାରତରେ ଏବେ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି । ଦକ୍ଷିଣ-କୋରିଆ କମ୍ପାନି ଏସଡି ବାୟୋସେନସର ପକ୍ଷରୁ ହରିୟାଣାର ମାନେସରରେ ଏକ କିଟ ନିର୍ମାଣକାରୀ କାରଖାନା ନିର୍ମାଣ କରାଯାଇଛି । ଏହି କାରଖାନାର କ୍ଷମତା ୫ ଲକ୍ଷ ରାପିଡ ଟେଷ୍ଟ କିଟ ରହିଛି ।ଏହି କାରଖାନାରୁ ନିର୍ମାଣ ଆରମ୍ଭ ହୋଇଗଲାଣି ଓ ଆସନ୍ତା କିଛି ସପ୍ତାହ ମଧ୍ୟରେ କମ୍ପାନି ନିଜର ଉତ୍ପାଦନ ବୃଦ୍ଧି କରିବ ।

ରାପିଡ୍ ଟେଷ୍ଟିଂ କିଟ ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାପିଡ ଟେଷ୍ଟ ନକରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।
ରାପିଡ ଟେଷ୍ଟ କିଟ ସଂପର୍କରେ ରାଜସ୍ଥାନ ସରକାର ଆପତ୍ତି ଉଠାଇ ଏହି ପରୀକ୍ଷାକୁ ବନ୍ଦ କରିଦେଇଥିଲେ । ଏହି କିଟଗୁଡ଼ିକରେ ଭୁଲ ଫଳାଫଳ ବାହାରୁଛି । ମାତ୍ର ୫.୪ ପ୍ରତିଶତ ସଠିକ ରିପୋର୍ଟ ବାହାରୁଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର