କରୋନାରୁ ମୁକ୍ତ ହେବା ପରେ ନିଜର ଲୋମଟାଙ୍କୁରା କାହାଣୀ ବଖାଣିଲେ ଏହି ଯୁବକ
ମୁମ୍ବାଇ: କରୋନା ଭାଇରସ୍ ଯେତେ ବି ସାଂଘାତିକ ହଉ ନା କାହିଁକି କିଛି ଆକ୍ରାନ୍ତଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ଖବର ଲୋକଙ୍କ ଭିତରେ ଏକ ଆଶା ସୃଷ୍ଟି କରୁଛି ନିଶ୍ଚୟ। ମାତ୍ର କରୋନା ଭାଇରସ୍ ସହ ଲଢ଼େଇ କରିବା ପାଇଁ ଯେଉଁଠି ଜଣଙ୍କୁ ଅନ୍ୟ ଜଣଙ୍କର ସମବେଦନା ଟିକେ ଦରକାର ପଡ଼ିଥାଏ, ସେଠାରେ କିଛି ଲୋକଙ୍କ ଅମାନୁଷିକତା ଭାରୀ ପଡ଼ିଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନାକୁ ହରାଇ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ନିଜର ସଂଘର୍ଷମୟ କାହାଣୀ କହିଛନ୍ତି ମୁମ୍ବାଇର ଜଣେ ବ୍ୟକ୍ତି। ତାଙ୍କ କହିବା ମୁତାବକ, ଜଣେ ରୋଗୀକୁ ଯେଉଁ ଭଳି ଭାବେ ସାମାଜିକ ସମର୍ଥନ ମିଳିବା ଉଚିତ ତାହା ମିଳୁନାହିଁ।
ନିଜ କଥା ବଖାଣି ସେ କହନ୍ତି, ‘ମୁଁ ଇଂଲଣ୍ଡରୁ ମାର୍ଚ ୪ ତାରିଖରେ ଭାରତ ଫେରିଲି। ସେତେବେଳେ ମୋ ଭିତରେ କୌଣସି କରୋନାର ଲକ୍ଷଣ ନଥିଲା। ମାତ୍ର ବିଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ଯାହା ସବୁ ପ୍ରକ୍ରିୟା ରହିଥିଲା ମୁମ୍ବାଇରେ ପହଞ୍ଚିବା ପରେ ମୁଁ ସେସବୁକୁ ମାନିଥିଲି। ନିଜକୁ ଘରେ ପୃଥକ ଭାବେ ରଖିଲି। ମାର୍ଚ୨୧ ତାରିଖରେ ମୁଁ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲି। ମାର୍ଚ ୨୨ ତାରିଖରେ ମୁଁ ଜସ୍ଲୋକ୍ ହସ୍ପିଟାଲ୍ ଗଲି। ସେମାନେ ମୋତେ ହସ୍ପିଟାଲ୍ରୁ ବାହାରି ଯିବାକୁ କହିଲେ।’
ଯେତେବେଳେ ମୋତେ ଘରକୁ ପଠାଇ ଦିଆଗଲା ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେହିଦିନ ମୁଁ ପୁଣି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍କୁ ଗଲି। ସେଦିନ ଦେଶରେ ‘ଜନତା କର୍ଫୁ’ ପାଳନ ହେଉଥାଏ। ମୋ ଶରୀର ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥାଏ। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ବି ମୋତେ ପରୀକ୍ଷା ସମୟ ବିତିଗଲାଣି କହି ଫେରାଇ ଦିଆଗଲା। ମୁଁ ଖୁବ୍ ମନ ଦୁଃଖରେ ଘରକୁ ଫେରିଲି। ଯଥା ଚେଷ୍ଟା କରି ମୁଁ ଲୋକମାନଙ୍କଠାରୁ ଦୂରତ୍ବ ବଜାୟ ରଖିଲି। ଯାହା ବି ହେଉ, ଶେଷରେ ମାର୍ଚ ୨୭ ତାରିଖରେ ମୋ ରିପୋର୍ଟରୁ କରୋନା ପଜିଟିଭ୍ ଜଣାପଡ଼ିଲା।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସେ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ତାଙ୍କ ପରିବାର ଲୋକଙ୍କୁ ବି ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ତାଙ୍କ ବାପାଙ୍କୁ ବାହାର ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି ବୋଲି ସେ କହନ୍ତି। ଯାହା ବି ହେଉ, ଶେଷରେ ସେ ପରେ ଚିକିତ୍ସିତ ହୋଇ ଏପରି ଏକ ମହାମାରୀ କବଳରୁ ନିଜକୁ ମୁକ୍ତ କରାଇ ପାରିଛନ୍ତି।