ଆଣ୍ଡାମାନରେ କାର୍ଯ୍ୟକ୍ଷମ ହେଲା ତୃତୀୟ ନୌସେନା ଘାଟି ଆଇଏନ୍ଏସ କୋହାସା : ଚୀନର ପ୍ରଭାବ ହ୍ରାସ କରିବାକୁ ପଦକ୍ଷେପ ନେଲା ଭାରତ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଲଗାତାର ଚୀନର ପ୍ରାଧାନ୍ୟ ବଢୁଥିବା ବେଳେ ଏହାର ଜବାବ ଦେବାକୁ ଏବେ ଅଣ୍ଟା ଭିଡିଛି ଭାରତ । ଏହିକ୍ରମରେ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭାରତ ନିଜର ତୃତୀୟ ନୌସେନା ଘାଟି ଖୋଲିବାକୁ ଯାଉଛି । ଏହି ନୌସେନା ଘାଟିର ନାମକରଣ କରାଯାଇଛି ଆଇଏନଏସ କୋହାସା । ଏଠାରେ ଯୁଦ୍ଧପୋତ ନିୟୋଜିତ କରାଯିବା ସହିତ ବୁଡା ଜାହାଜ ଓ ଯୁଦ୍ଧବିମାନ ମୁତୟନ କରାଯିବ। ଗୁରୁବାର ଉତ୍ତର ଆଣ୍ଡାମାନର ଦିଗଲିପୁରଠାରେ ନୌସେନା ମୁଖ୍ୟ ଆଡମିରାଲ୍ ସୁନିଲ୍ ଲାମ୍ବା ଏହାକୁ ଉଦଘାଟନ କରିଛନ୍ତି।

ଏହାଦ୍ୱାରା ଭାରତ ମହାସାଗରରେ ଚୀନର ପ୍ରତିଟି ଗତିବିଧି ଉପରେ ନଜର ରଖିପାରିବ ଭାରତ । ନୌସେନା ଅଧିକାରୀଙ୍କ ମୁତାବକ, କୋହାସା ନୌସେନା ଘାଟିରେ ୧୦୦୦  ମିଟର ଦୀର୍ଘ ଏକ ରନୱେ ରହିବ । ପରେ ଏହାକୁ  ୩ ହଜାର ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଯାହାଦ୍ୱାରା ଯୁଦ୍ଧ ବିମାନଗୁଡିକ ବେଶ ସହଜରେ ଏଠାରେ ଅବତରଣ କରିପାରିବ ।

କୋହାସା ଘାଟି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରଠାରୁ ପାଖାପାଖି ୩୦୦ କିଲୋମିଟର ଦୂର ମଲକ୍କାର ପ୍ରବେଶ ମାର୍ଗରେ ଅବସ୍ଥିତ । ଏହା ଅଞ୍ଚଳ ଦେଇ ପ୍ରତିବର୍ଷ ୭୦ ହଜାର ଜାହାଜ ଯାତାୟତ କରିଥାଏ । ପୂର୍ବ ନୌସେନା ଅଧିକାରୀ ଅନିଲ ଜୟ କହିଛନ୍ତି, ହିନ୍ଦ ମହାସାଗରରେ ଚୀନ ଯେଉଁ ବଡଭାଇପଣିଆ ଦେଖାଉଛି ତାହାର ଜବାବ ଦେବାକୁ ଭାରତକୁ ଏବେଠୁ ପ୍ରସ୍ତୁତ ହେବା ଆବଶ୍ୟକ । ଏହି କାରଣରୁ ଭାରତ ଏଠାରେ ନୌସେନା ଘାଟି ନିର୍ମାଣ କରିଛି, ଯାହାଦ୍ୱାରା ହିନ୍ଦ ମହାସାଗର ଅଞ୍ଚଳ ଉପରେ ନଜର ରଖିପାରିବ ଭାରତ ।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଚୀନର ପ୍ରତିଟି ଗତିବିଧି ଉପରେ ସର୍ତକ ଦୃଷ୍ଟି ରଖିଛି ଭାରତ । କାରଣ ୨୦୧୪ରେ ଚୀନର ବୁଡାଜାହାଜ ଶ୍ରୀଲଙ୍କାର କଲମ୍ବୋ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମୋଦି ସରକାର ଶ୍ରୀଲଙ୍କା ସରକାରଙ୍କୁ ଏ ବାବଦରେ ଅବଗତ କରାଇଥିଲେ ।

ସମ୍ବନ୍ଧିତ ଖବର