ଭାରତୀୟ ରେଳପଥ: ଦେଶର ଜୀବନରେଖା

୬୭ତମ ଜାତୀୟ ରେଳ ସପ୍ତାହ ପାଳନ ଅବସରରେ

ଭାରତୀୟ ରେଳପଥ ଦେଶର ଜୀବନରେଖା ଏବଂ ଭାରତର ଅର୍ଥନୀତିର ମେରୁଦଣ୍ଡ । ଦେଶର ପ୍ରଗତି ଓ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୧୮୫୩ରେ ସାଧାରଣ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଭାରତୀୟ ରେଳବାଇ ଆଜି ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି । ୧୬ ଏପ୍ରିଲ୍ ୧୮୫୩ରେ ଭାରତୀୟ ଉପମହାଦେଶରେ ୧୪ଟି ରେଳ ଡବାରେ ୪୦୦ ଯାତ୍ରୀଙ୍କୁ ନେଇ ପ୍ରଥମ ରେଳଗାଡ଼ି ବମ୍ବେରୁ ଥାନେ ପର୍ଯ୍ୟନ୍ତ ୨୧ ମାଇଲ୍ ରାସ୍ତା ଅତିକ୍ରମ କରିବା ସହ ଭାରତୀୟ ରେଳବାଇର ଇତିହାସର ଶୁଭାରମ୍ଭ ହୋଇଥିଲା ।

ଗତବର୍ଷ, ଭାରତୀୟ ରେଳପଥ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି । ଏହି ସଫଳତା ମଧ୍ୟରେ ମାଲ ପରିବହନ, ବିଦ୍ୟୁତ୍‌କରଣ, ନୂତନ ଲାଇନ୍ / ଦୋହରୀକରଣ / ଗେଜ୍ ପରିବର୍ତ୍ତନ, ଇଂଜିନ୍ ନିର୍ମାଣ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବୈଷୟିକ ଏକୀକରଣ ଆଦି ଅନ୍ତର୍ଭୁକ୍ତ ।

The Economic Times

ଦେଶର ପ୍ରତିଷ୍ଠିତ ପରିବହନ ସଂସ୍ଥା ଭାରତୀୟ ରେଳପଥ, ଏସିଆର ସବୁଠାରୁ ଦୀର୍ଘ ରେଳ ନେଟୱର୍କ ତଥା ଗୋଟିଏ ପରିଚାଳନା ପଦ୍ଧତି ଅଧୀନରେ କାର୍ଯ୍ୟରତ ବିଶ୍ୱର ଦ୍ୱିତୀୟ ବୃହତ୍ ଅନୁଷ୍ଠାନ । ବର୍ତ୍ତମାନ, ଦେଶର ଜୀବନରେଖା ଭାରତୀୟ ରେଳପଥ ଭାରତର ସମସ୍ତ କୋଣଅନୁକୋଣରେ ବିଦ୍ୟମାନ । ଆକାର ଅନୁସାରେ, ଏହା ବିଶ୍ୱର ଚତୁର୍ଥ ବୃହତ୍ ଜାତୀୟ ରେଳପଥ ବ୍ୟବସ୍ଥା ଏବଂ ଏହାର ନେଟୱର୍କ ୧,୨୭,୭୬୦ କିଲୋମିଟର୍ ଦୀର୍ଘ ଅଂଚଳରେ ପରିବ୍ୟାପ୍ତ। ଏହାଦ୍ୱାରା ପ୍ରତି ଦିନ ଉଭୟ ଦୀର୍ଘ-ଦୂରତା ବିଶିଷ୍ଟ ଓ ସବ୍‌ଅର୍ବାନ୍ ରେଳପଥରେ ୭,୩୪୯ଟି ଷ୍ଟେସନ୍ ମଧ୍ୟ ଦେଇ ୧୩,୪୫୨ ଯାତ୍ରୀବାହୀ ଟ୍ରେନ୍ ପରିଚାଳିତ ହୋଇଥାଏ । ବାର୍ଷିକ ୮.୦୮୬ ବିଲିୟନ୍ ଯାତ୍ରୀ ଏବଂ ୧୪୧୮.୧୦ ନିୟୁତ ମାଲ ପରିବହନ କରୁଥିବା ଏହା ବିଶ୍ୱର ବ୍ୟସ୍ତତମ ନେଟୱର୍କ ଅଟେ । ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତୀୟ ରେଳପଥ ଅନେକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି । ଏହି ବର୍ଷରେ ଭାରତୀୟ ରେଳବାଇ ରେକର୍ଡ ୧୪୧୮.୧୦ ମିଲିଅନ୍ ଟନ୍ ପରିମାଣର ମାଲ୍ ବୋଝେଇ କରିଥିଲା । ଏହା ଏଯାବତ୍ କୌଣସି ଏକ ଆର୍ଥିକ ବର୍ଷରେ ହୋଇଥିବା ମାଲ୍ ବୋଝେଇ ପରିମାଣ ଠାରୁ ସର୍ବାଧିକ । ୨୦୨୧-୨୨ରେ, ନୂତନ ଲାଇନ୍ / ଦୋହରୀକରଣ / ଗେଜ ୍‌ରୂପାନ୍ତରଣ କ୍ଷେତ୍ରରେ, ଧାର୍ଯ୍ୟ ଲକ୍ଷ୍ୟ ୨୪୦୦ କିଲୋମିଟର୍ ତୁଳନାରେ ୨୯୦୪ କିଲୋମିଟର୍ ଅଧିକା ହାସଲ କରିଛି ।୨୦୨୧-୨୨ ଆର୍ଥିକ ବର୍ଷରେ, ଏଯାବତ୍ ସର୍ବାଧିକ ୧,୧୦୦ ବୈଦ୍ୟୁତିକ ଇଂଜିନ୍ ନିର୍ମାଣ କରାଯାଇଛି । ଆହୁରି ମଧ୍ୟ, ଏଯାବତ୍ ସର୍ବାଧିକ ୫୩୧୬.୧ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି କରାଯାଇଛି । ୪୪୪ଟି ସ୍ଥାନରେ ଷ୍ଟେସନ୍‌ଗଡ଼ିକର ଇଣ୍ଟର୍‌ଲକିଂ କରାଯାଇଛି ଏବଂ ୮୫୦ ରୁଟ୍ କିଲୋମିଟର କବଚ କାର୍ଯ୍ୟକ୍ଷମ କରାଯାଇଛି ।

ଭାରତୀୟ ରେଳପଥ ଦ୍ୱାରା ୮୪୦ଟି ଷ୍ଟେସନ୍‌ରେ ସିସିଟିଭି ଏବଂ ୬୦୮୯ଟି ଷ୍ଟେସନ୍‌ରେ ୱାଇ-ଫାଇ କାର୍ଯ୍ୟକ୍ଷମ କରାଯାଇଛି, ଯାହାମଧ୍ୟରୁ ଚଳିତ ବର୍ଷ ୪୭ଟି ଷ୍ଟେସନ୍‌ରେ ସିସିଟିଭି ଓ ୧୨୦ଟି ଷ୍ଟେସନ୍‌ରେ ୱାଇ-ଫାଇ ଲଗାଯାଇଛି । ବ୍ୟବହାର ଉପଯୋଗୀ ମାଲ ଓ ଯାତ୍ରୀ ବ୍ୟବସାୟ ସମ୍ପର୍କୀୟ ୱେବସାଇଟ୍ ଆରମ୍ଭ କରାଯାଇଛି । ଅନ୍‌ଲାଇନ୍ ତଥା ଏକୀକୃତ ବିକ୍ରେତା ଅନୁମୋଦନ ବ୍ୟବସ୍ଥା (ୟୁନିଫାଏଡ୍ ଭେଣ୍ଡର୍ ଆପ୍ରୁଭାଲ୍ ମଡ୍ୟୁଲ୍‌) (ୟୁ.ଭି.ଏ.ଏମ୍‌.) ମଧ୍ୟ ଆରମ୍ଭ ହୋଇଛି । ଭାରତୀୟ ରେଳପଥ ଦ୍ୱାରା ୧୫ଟି ରାଜ୍ୟକୁ ୮୯୯ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରାଯାଇଥିଲା ଏବଂ ୩୬,୮୪୦ ଟନ୍ ଲିକ୍ୱିଡ୍ ଅକ୍ସିଜେନ୍ ପରିବହନ କରାଯାଇଥିଲା । ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ବାଙ୍ଗଲାଦେଶକୁ ମଧ୍ୟ ଅମ୍ଳଜାନ ପରିବହନ କରିଥିଲା ।


India.com

ପବ୍ଲିକ୍ ପ୍ରଇଭେଟ୍ ସହଭାଗିତା (ପି.ପି.ପି.) ଏବଂ ଅନ୍ୟ ମଡେଲ୍ ବ୍ୟବହାର କରି ରେଳ ଷ୍ଟେସନ୍‌ର ବିକାଶ କରିବାର ସମସ୍ତ ସମ୍ଭାବନାକୁ ରେଳ ମନ୍ତ୍ରାଳୟ ଅନୁସନ୍ଧାନ କରୁଛି । ଭାରତୀୟ ରେଳବାଇ ପାଇଁ ସୁରକ୍ଷା ସଦାସର୍ବଦା ପ୍ରମୁଖ ପ୍ରାଥମିକତା ରହିଆସିଛି ଏବଂ ଏଦିଗରେ ସ୍ୱଦେଶୀ ଭାବରେ କରାଯାଇଥିବା ଉଦ୍ୟମ ଫଳରେ କବଚ ବ୍ୟବସ୍ଥାର ବିକାଶ କରାଯାଇପାରିଛି । ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା (ଏ.ଟି.ପି.) ବ୍ୟବସ୍ଥା ଚାଲୁଥିବା ଟ୍ରେନ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ସଂପ୍ରତି, ନୂଆଦିଲ୍ଲୀ-ହାଓଡା ଓ ନୂଆଦିଲ୍ଲୀ-ମୁମ୍ବାଇ ଶାଖା ମଧ୍ୟରେ କବଚ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ଯୋଜନା ରହିଛି, ଯାହାକି ମାର୍ଚ୍ଚ୍ ୨୦୨୪ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଅଛି ।

ଭାରତୀୟ ରେଳବାଇ ପକ୍ଷରୁ ଭାରତ ପାଇଁ ଏକ ଜାତୀୟ ରେଳ ଯୋଜନା (ଏନ୍‌.ଆର୍‌.ପି) -୨୦୩୦ ପ୍ରସ୍ତୁତ କରାଯାଇଛି । ୨୦୩୦ ସୁଦ୍ଧା ଏକ ‘ଭାବିଷ୍ୟତ ଅଭିମୁଖୀ’ ରେଳବାଇ ବ୍ୟବସ୍ଥା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଉଭୟ ପରିଚାଳନାଗତ ଦକ୍ଷତା ତଥା ରେଳପଥର ଶେୟାର୍ ବୃଦ୍ଧି ଦିଗରେ ଉଦ୍ଦିଷ୍ଟ ବାଣିଜ୍ୟିକ ନୀତି ସମ୍ପର୍କୀୟ ପଦକ୍ଷେପ ଆଧାରରେ ରଣନୀତି ପ୍ରସ୍ତୁତ କରିବା ଏହି ଯୋଜନାର ଲକ୍ଷ୍ୟ । ଚାହିଦାଠାରୁ ଅଧିକ କ୍ଷମତା ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ, ଯାହାକି ୨୦୫୦ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବା ଚାହିଦାକୁ ମଧ୍ୟ ପୂରଣ କରିବାକୁ ସକ୍ଷମ ହେବ ।

ଦେଶର ଶେଷ ମାଇଲ୍ ପର୍ଯ୍ୟନ୍ତ ସଂଯୋଗୀକରଣ ଏବଂ ଏହାର ସମ୍ମାନିତ ଯାତ୍ରୀମାନଙ୍କୁ ଉତ୍କୃଷ୍ଟ ସୁବିଧା ପ୍ରଦାନ କରିବା ପାଇଁ ଭାରତୀୟ ରେଳବାଇ ପ୍ରତିବଦ୍ଧ । ଭାରତୀୟ ରେଳବାଇ ଏହାକୁ ଅଧିକ ଦକ୍ଷ, ପରିବେଶ ପ୍ରତି ଅନୁକୂଳ ଏବଂ ଆଧୁନିକ ଭାବେ ବିକଶିତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ଏଥିସହିତ, ଉଭୟ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଓ ସୁଲଭ ପରିବହନ ବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିବା ପାଇଁ ଭାରତୀୟ ରେଳପଥର ପ୍ରଚେଷ୍ଟା ଜାରି ରହିଛି ।

ସମ୍ବନ୍ଧିତ ଖବର