ଆଡିଲେଡ୍‌: ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିଗ୍ସଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୧୭ ରନ୍‌ରେ ହରାଇ ଦେଇଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଫଳରେ ୩ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ୨୦୧୭ ମସିହାରେ ପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର କୌଣସି ଗୋଟିଏ ଫର୍ମାଟ୍‌ରେ ପ୍ରଥମ ଶୃଙ୍ଖଳା ପରାଜୟ। ଶନିବାର ଭ୍ରମଣକାରୀ ଭାରତୀୟ ଦଳ ଟସ୍‌ ଜିତି ବ୍ୟାଟିଂ କରିବା ପରେ ୧୯ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଦ୍ବିିତୀୟ ୱିକେଟ୍‌ରେ ମନ୍ଧାନା ଓ ରଡ୍ରିଗ୍‌ସ ୧୨୧ ରନ୍‌ ଯୋଡ଼ିବା କିନ୍ତୁ ଭାରତୀୟ ଦଳର ସ୍ଥିତିକୁ ମଝଭୂତ କରି ନେଇଥିଲା। 

Advertisment

ଉଭୟ ଖେଳାଳି ରେକର୍ଡ ଭାଗୀଦାର ସହ ଅଷ୍ଟ୍ରେଲିଆ ମାଟିରେ ଅର୍ଦ୍ଧଶତକ ଅର୍ଜନ କରିବାର ଗୌରବ ହାସଲ କରିଥିଲେ। ସେହିଭଳି ଶେଷ ଆଡ଼କୁ ୱିକେଟ୍‌ ରକ୍ଷକ ବ୍ୟାଟର୍‌ ରିଚା ଘୋଷ ଦ୍ରୁତ ୧୮ ରନ୍‌ କରିବାରୁ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ପଶ୍ଚାତବଧାବନ ପ୍ରଥମ ୪ ଓଭରରେ ହିଁ ବାଟ ହୁଡ଼ିଥିଲା। ୩୨ ରନ୍‌ରେ ୩ ୱିକେଟ୍‌ ହରାଇ ଦଳ ୧୭୭ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରିବା ଦିଗରେ ପାୱାର ପ୍ଲେ ଭିତରେ ହିଁ ଚାପଗ୍ରସ୍ତ ‌ହୋଇଥିଲା। ମଧ୍ୟକ୍ରମରେ ଆସଲି ଗାର୍ଡନରଙ୍କ ଛଡ଼ା ଅନ୍ୟ କୌଣସି ଅଷ୍ଟ୍ରେଲୀୟ ବ୍ୟାଟର୍‌ ଭାରତୀୟ ବୋଲର୍‌ଙ୍କ ସଠିକ ମୁକାବିଲା କରିପାରି ନଥିଲେ। ଫଳରେ ଘରୋଇ ଦଳ ୯ ୱିକେଟ୍‌ରେ ୧୫୯ ରନ୍‌ରେ ଅଲଆ‌ଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ର ସର୍ବୋଚ୍ଚ ପାଳି ଖେଳିଥିବା ମନ୍ଧାନା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ୨୦ ଓଭରରେ-୧୭୬/୬ (ସ୍ମୃତି ମନ୍ଧାନା ୮୨, ଜେମିମା ରଡ୍ରିଗ୍ସ ୫୯, ରିଚା ଘୋଷ ୧୮, ଆନାବେଲ ସଦରଲାଣ୍ଡ ୨/୩୪, କିମ୍‌ ଗର୍ଥ ୧/୨୫)। ଅଷ୍ଟ୍ରେଲିଆ ୨୦ ଓଭରରେ-୧୫୯/୯ (ଆସଲି ଗାର୍ଡନର ୫୭, ଫୋବେ ଲିଚଫିଲ୍‌ଡ ୨୬, ଶ୍ରୀୟଙ୍କା ପାଟିଲ ୩/ ୨୨, ଶ୍ରୀ ଚାରଣୀ ୩/୩୨, ଅରୁନ୍ଧତୀ ରେଡ୍ଡୀ ୨/୩୫)।