ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୩କୁ ବୃଦ୍ଧି,  ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦୀ 

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ସର୍ବଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ଏହା ୨୨୩ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ । ଏହାଛଡ଼ା ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି ।

ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ଓ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିମ ସଂପର୍କରେ ଏଥିରେ ଆଲୋଚନ ହୋଇଥିବା ଜଣାଯାଇଛି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ  ଓ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଯାଇଛି । ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୮୫୧ ଓ ମୃତ୍ୟୁସଂଖ୍ୟା ୧୦,୪୦୫ରେ ପହଞ୍ଚିଛି । ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ  ସଂକ୍ରମିତଙ୍କ ସଂଖ୍ୟା ୪୧,୦୩୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୪୦୫ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୪୩୬୬ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୧୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪୪ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪୩୩ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୪ ଓ ମୃତ୍ୟ ସଂଖ୍ୟା ୩ରେ ପହଞ୍ଚିଯାଇଛି ବୋଲି ଡନ ଖବରକାଗଜ ସୁତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର