ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଶହ ଛୁଇଁଲା, ୧୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟା ୮ଟା ବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୯୪ ରେ ପହଞ୍ଚିଛି । ଏହା ମଧ୍ୟରୁ ୬୪୭ ଜଣ ଭାରତୀୟ ହୋଇଥିବାବେଳେ ୪୭ ଜଣ ବିଦେଶୀ ରହିଛନ୍ତି । ଏହି ରିପୋର୍ଟ ଅନୁସାରେ ଦେଶରେ ୪୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ମିଶାଇଲେ ମୋଟ ସଂଖ୍ୟା ୭୧୦ରେ ପହଞ୍ଚିଛି । ଗତ କାଲି ସଂଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୧୦ ଥିବାବେଳେ ଆଜି ୬ଟି ନୂଆ ମାମଲା ସାମନାକୁ ଆସିଛି ।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ସ୍ଥିର ରହିଥିବାବେଳେ ତାପଛକୁ କେରଳ ରହିଛି । କେରଳରେ ୧୧୮ ଜଣ ସଂକ୍ରମିତ ରହିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି କରୋନା ସଂକ୍ରମିତ ମରିନାହାନ୍ତି । ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି ।

କର୍ଣାଟକରେ ଗତ ୨୪ ଘଣ୍ଟାରେ ୪ଟି ନୂଆ ମାମଲା ଜଣାପଡ଼ିଛି । ରାଜ୍ୟରେ ମୋଟ ସଂଖ୍ୟା ୫୫ରେ ପହଞ୍ଚିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧ଟି ନୂଆ ମାମଲା ସାମନାକୁ ଆସିଛି । ଏହା ଫଳରେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଜମ୍ମୁ ଓ କଶ୍ମୀରରେ ୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ଏହି କେନ୍ଦ୍ର ଶାସିତ ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର