ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଶହ ଟପିଲା, ମହାରାଷ୍ଟ୍ରରେ ସର୍ବାଧିକ ୧୨୫ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ସଂଧ୍ୟାବେଳେ ଜାରି ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି । ଏହା ମଧ୍ୟରୁ ୫୬୩ ଜଣ ଭାରତୀୟ ହୋଇଥିବାବେଳେ ୪୩ ଜଣ ବିଦେଶୀ ରହିଛନ୍ତି । ତେବେ ଭାରତରେ ଏହା ସାମୁହିକ ସ୍ତରରେ ସଂକ୍ରମିତ ହୋଇନଥ#ବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଦେଶରେ ୪୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଥିବାବେଳେ ତାପଛକୁ କେରଳ ରହିଛି । କେରଳରେ ୧୦୧ ଜଣ ସଂକ୍ରମିତ ରହିଛନ୍ତି । କର୍ଣାଟକରେ ଗତ ୨୪ ଘଣ୍ଟାରେ ୧୦ଟି ନୂଆ ମାମଲା ଜଣାପଡ଼ିଛି । ରାଜ୍ୟରେ ମୋଟ ସଂଖ୍ୟା ୫୧ରେ ପହଞ୍ଚିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ନୂଆ ମାମଲା ସାମନାକୁ ଆସିଛି । ଏହା ଫଳରେ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜମ୍ମୁ ଓ କଶ୍ମୀରରେ ୪ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ଏହି କେନ୍ଦ୍ର ଶାସିତ ଅଂଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଲୋକମାନେ କରୋନା ଉପସମ ପାଇଁ ନିଜେ ନିଜେ ହାଇଡ୍ରୋକ୍ସିକ୍ଲୋରେକ୍ୱିନ ଖାଇବାକୁ ବାରଣ କରିଛି ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା କେବଳ ଗୁୁରୁତର ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀମାନେ ଜରୁରୀ ସ୍ଥିତିରେ ସେବନ କରିପାରିବେ ବୋଲି ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର