ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୧୬୮୪ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ମୋଟ ସଂକ୍ରମିତ ସଂଖ୍ୟା ୨୩୦୭୭ରେ ପହଞ୍ଚିଛି । ଏହି ୨୪ ଘଣ୍ଟାରେ ଦେଶରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ଦେଶର ୪୭୪୯ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶର ଆରୋଗ୍ୟ ହାର ୨୦ ପ୍ରତିଶତ ଟପିଯାଇଛି । ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୦ ଦିନକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ମୋଟ ୮୦ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ । ୧୫ ଟି ଜିଲ୍ଲାରେ ଗତ ୨୮ ଦିନରେ କୌଣସି ଗୋଟିଏ ମଧ୍ୟ ମାମଲା ଚିହ୍ନଟ ହୋଇନାହିଁ ।
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ପୂର୍ବର ୬ଟି ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମ (ଆଇଏମସିଟି) ଛଡ଼ା ଆହୁରି ୪ଟି ଆଇଏମସିଟି ଗଠନ କରାଯାଇଛି । ଏସବୁ ଟିମ ଅହମଦାବାଦ, ସୁରତ,ହାଇଦ୍ରାବାଦ ଓ ଚେନ୍ନାଇ ପଠାଯିବ ।