ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଏୟାରଲାଇନ ଇଣ୍ଡିଗୋ ଆସନ୍ତା ଫେବ୍ରୁଆରି ୧୦ରୁ କୌଣସି ବିମାନର ଉଡ଼ାଣ ବାତିଲ କରିବ ନାହିଁ। ଏ ସମ୍ପର୍କରେ କମ୍ପାନି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)କୁ ଅବଗତ କରିଛି। କମ୍ପାନି ଜଣାଇଛି ଯେ ଆମ ପାଖରେ ଯଥେଷ୍ଟ ପରିମାଣର ପାଇଲଟ୍‌ ଅଛନ୍ତି। ତେଣୁ ଉଡ଼ାଣରେ ଖୁବ୍‌ଶୀଘ୍ର ସ୍ଥିରତା ଫେରିବ। ଗତକାଲି ଡିଜିସିଏ ପକ୍ଷରୁ ଇଣ୍ଡିଗୋ ସହ ଏକ ବୈଠକରେ ଆଲୋଚନା କରାଯାଇଥିଲା। ବିମାନ ପରିଚାଳନା ସ୍ବାଭାବିକ ହୋଇଯିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ତଥାପି କମ୍ପାନିର କାର୍ଯ୍ୟ ଉପରେ ଡିଜିସିଏ ନଜର ରଖିବାକୁ ନିଷ୍ପତ୍ତି ନେଇଛି।

Advertisment

ଆହୁରି ପଢନ୍ତୁ: Gold-Silver Price Hike: ଗହଣା ବଜାରରେ ନିଆଁ ! ସୁନା ଦର ଦେଢ଼ ଲକ୍ଷ ମୁହାଁ... ଦିନକରେ ୧୨ ହଜାର ବଢ଼ିଲା ରୁପା ଦର

ଗତବର୍ଷ ଡିସେମ୍ବର ୨ରୁ ୯ ପର୍ଯ୍ୟନ୍ତ ଇଣ୍ଡିଗୋ ୪୫୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିଥିଲା। ହଠାତ୍‌ ଏତେ ସଂଖ୍ୟାରେ ବିମାନର ଉଡ଼ାଣ ବାତିଲ ହେବାରୁ ଦେଶବ୍ୟାପୀ ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ଭାରତୀୟ ବେସାମରିକ ବିମାନ ଚଳାଚଳ ଶିଳ୍ପର ୬୦ ପ୍ରତିଶତ ବଜାର ଅଂଶ ଇଣ୍ଡିଗୋ ପାଖରେ ରହିଛି। ବଜାରରେ କମ୍ପାନିର ଆଧିପତ୍ୟ ଓ ଉପଯୁକ୍ତ ବିକଳ୍ପର ଅଭାବ ଥିବାରୁ ଯାତ୍ରୀ ସେବା ବ୍ୟାହତ ହୋଇଥିଲା।

ଏହି ବିଭ୍ରାଟ ପରେ ଇଣ୍ଡିଗୋର ବିମାନ ସଂଖ୍ୟା, ଇଞ୍ଜିନ ସମସ୍ୟା, ପାଇଲଟ ଅଭାବ ଓ କ୍ରୁ ଯୋଜନାକୁ ନେଇ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଥିଲା। ଏହି ବିଭ୍ରାଟ ପାଇଁ ଚଳିତ ମାସରେ ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଉପରେ ୨୨ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଥିଲା। ପରିଚାଳନା ମୁଖ୍ୟଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଥିଲା।