କୁଚବିହାର: ଭାରତ-ବାଂଲାଦେଶ ସୀମାରେ ଏବେ  ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଉତ୍ତର ବଙ୍ଗର କୁଚବିହାରରେ ଭାରତ-ବାଂଲାଦେଶ ସୀମା ନିକଟରେ ଗୁରୁବାର ସନ୍ଧ୍ୟାରେ ବାଂଲାଦେଶ ସୀମା ସୁରକ୍ଷା ବଳ (ବିଜିବି)ର ଯବାନମାନେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଅଧିକାରୀଙ୍କୁ ଗୋରୁବାଡ଼ ନିର୍ମାଣ କରିବାରୁ ଅଟକାଇବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିଛି। କୌଣସି ହିଂସା କାଣ୍ଡ ଘଟିନାହିଁ, କିନ୍ତୁ ବର୍ତ୍ତମାନ ନିର୍ମାଣକୁ ସ୍ଥଗିତ ରଖାଯାଇଛି ଏବଂ ଚଳିତ ଅକ୍ଟୋବରରେ ଦିଲ୍ଲୀରେ ଦୁଇ ବାହିନୀର ମହାନିର୍ଦ୍ଦେଶକଙ୍କ ବୈଠକରେ ଏହାକୁ ଉପସ୍ଥାପନ କରାଯିବ ବୋଲି ଜନୈକ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।

Advertisment

‘ଆମ କର୍ମଚାରୀମାନେ ଗୋରୁବାଡ଼ ନିର୍ମାଣର ତଦାରଖ କରୁଥିବା ବେଳେ ବିଜିବି କର୍ମଚାରୀ ଆସି ବିରୋଧ କରିଥିଲେ’ ବୋଲି କହିଛନ୍ତି ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ। ସେ କହିଛନ୍ତି ଯେ ଗୋଟିଏ ଦେଶର ଗୋରୁ ଯେପରି ଅନ୍ୟ ଦେଶକୁ ନ ଯାଆନ୍ତି ସେଥିପାଇଁ ଏହି ବାଡ଼ ନିର୍ମାଣ କରାଯାଉଛି, ଯାହାକୁ ନେଇ ଉଭୟ ପାର୍ଶ୍ୱରେ ଗ୍ରାମବାସୀଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଥାଏ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୨ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ଗୋରୁବାଡ଼ ନିର୍ମାଣ କରାଯାଉଥିଲା। ବିଜିବି ଓ ବିଏସ୍‌ଏଫ୍‌ ବାଟାଲିୟନର କମାଣ୍ଡାଣ୍ଟମାନେ ସୀମାରେ ଫ୍ଲାଗ ମିଟିଂ କରି ସମସ୍ୟାର ଆପୋଷ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନ ଥିଲା। ଅକ୍ଟୋବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଦୁଇ ବାହିନୀର ମହାନିର୍ଦ୍ଦେଶକଙ୍କ ବୈଠକରେ ଏହି ପ୍ରସଙ୍ଗ ଉଠିବ। ସୀମାର ଉଭୟ ପାର୍ଶ୍ୱରେ କୌଣସି ହିଂସାକାଣ୍ଡ ଘଟିନାହିଁ, କିନ୍ତୁ ଉଭୟ ବାହିନୀ ପକ୍ଷରୁ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ୪,୦୯୬  କିଲୋମିଟର ଭାରତ-ବାଂଲାଦେଶ ସୀମାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦୁଇ ସୀମା ସୁରକ୍ଷା ବାହିନୀର ମୁଖ୍ୟ ବର୍ଷକୁ ଦୁଇଥର ବୈଠକ କରନ୍ତି। ଶେଷ ବୈଠକ ଚଳିତ ବର୍ଷ ମାର୍ଚ୍ଚ ୫ରେ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା।

ସୀମାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଟକ

ଢାକା: ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତି ଦେଶ ଛାଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସିଲହେଟ୍‌ସ୍ଥିତ ଉତ୍ତରପୂର୍ବ ସୀମାରେ  ‘ବର୍ଡର ଗାର୍ଡ ବାଂଲାଦେଶ’ (ବିଜିବି) ଅଟକ ରଖିଛି। ଆୱାମୀ ଲିଗ୍ ନେତା ଏଏସ୍‌ଏମ ଫିରୋଜଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯିବାର କିଛି ଘଣ୍ଟା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।   ସୁପ୍ରିମ୍ କୋର୍ଟର ପୂର୍ବତନ ଆପିଲେଟ୍ ଡିଭିଜନ୍ ବିଚାରପତି ଶାମସୁଦ୍ଦିନ ଚୌଧୁରୀ ମାଣିକ ସିଲହେଟ୍‌ର କନାଇଘାଟ ସୀମା ଦେଇ ଭାରତ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ  ତାଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରୁ ବାଂଲାଦେଶରେ ଶେଖ ହସିନା ସରକାରର ପତନ  ହେବା ପରଠାରୁ ଅନେକ ବରିଷ୍ଠ ମନ୍ତ୍ରୀ ନିଖୋଜ ଅଛନ୍ତି ଏବଂ  ଅନେକ ନେତାଙ୍କୁ ହତ୍ୟା କରାଯାଇଛି। ହସିନାଙ୍କ ଆୱାମୀ ଲିଗ୍ ର ଶତାଧିକ ନେତା ଏବଂ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଏକ ସେନା ଶିବିରରେ ଆଶ୍ରୟ ଦିଆଯାଇଛି।