ଗଛ, ଜୀବଜନ୍ତୁଙ୍କ ନାଁରେ ଗାଁ
ରାଜନଗର: ପ୍ରକୃତିର ବିସ୍ମୟ ଭିତରକନିକା। ୬୭୨ ବର୍ଗ କିଲୋମିଟର ବ୍ୟାପ୍ତ ଭିତରକନିକା ଅଭୟାରଣ୍ୟ, ୧୪୫ ବର୍ଗ କିଲୋମିଟର ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରି ଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଅନ୍ତର୍ଜାତୀୟ ରାମସାର ସାଇଟ୍‌ର ମାନ୍ୟତା ମିଳିଛି। ଭିତରକନିକା ସଂଲଗ୍ନ ଦୁଇ ଉପଖଣ୍ତ ରାଜନଗର ଓ ରାଜକନିକା ପୂର୍ବର କନିକା ଜମିଦାରୀର ଅଂଶ ବିଶେଷ ରହିଥିଲା।  ଭିତରକନିକା ସଂଲଗ୍ନ ଅନେକ ଗାଁ ବିଭିନ୍ନ ଜୀବଜନ୍ତୁ ଓ ଲୁଣା ଜଙ୍ଗଲରେ ଥିବା ଗୁଳ୍ମକୁ ନେଇ ନାମକରଣ କରାଯାଇଛି। ପ୍ରକୃତିର ବିଭିନ୍ନ ବିଭବକୁ ନେଇ ଗ୍ରାମଗୁଡିକର ନାମକରଣ ଅନ୍ୟ କେଉଁଠି ଦେଖାଯାଏ ନାହିଁ।  ଭିତରକନିକାରେ ଅଧିକ ସଂଖ୍ୟାରେ ଅହିରାଜ ସାପ ଦେଖିବାକୁ ମିଳୁଥିବାରୁ ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତର ଗୋଟିଏ ଗାଁର ନାମ ଅହିରାଜପୁର ରଖାଯାଇଛି।

Advertisment

ସେହିପରି ଅଜଗର ସାପର ନାମ ଅନୁଯାୟୀ ଈଶ୍ବରପୁର ପଞ୍ଚାୟତର ଗୋଟିଏ ଗାଁର ନାମ ଅଜଗରପାଟିଆ ହୋଇଛି। ଭିତରକନିକାରେ ସବୁଠୁ ଅଧିକ ସଂଖ୍ୟାରେ ବାରହା, ହରିଣଙ୍କୁ ଦେଖିବାକୁ ମିଳେ। ବାରହାର ନାମ ଅନୁସାରେ କୋଇଲିପୁର ପଞ୍ଚାୟତରେ ବାରହାପୁର ଗାଁ ଥିବାବେଳେ ଭିତରକନିକା ଭିତରେ ବାରହାପିଟା ନାମରେ ଏକ ସ୍ଥାନ ରହିଛି। ହରିଣର ନାମ ଅନୁସାରେ ରଙ୍ଗଣି ପଞ୍ଚାୟତରେ ହରିଣପୋଖରୀ ଗାଁ ରହିଛି। ଭିତରକନିକାରେ ୬୪ ପ୍ରକାରର ଲୁଣା ପ୍ରଜାତିର ବୃକ୍ଷ ଦେଖାଯାଆନ୍ତି। ହେନ୍ତାଳ ଗଛକୁ ସ୍ଥାନୀୟ ଲୋକେ ପିଞ୍ଝା ଗଛ କହିଥାନ୍ତି। ସ୍ଥାନୀୟ ଲୋକଙ୍କ କଥା ଅନୁସାରେ ହେନ୍ତାଳ ବା ପିଞ୍ଝା ଗଛର ନାମ ଅନୁସାରେ କୃଷ୍ଣନଗର ପଞ୍ଚାୟତରେ ପିଞ୍ଝାପାଟିଆ ନାମରେ ଗାଁ ରହିଛି। ସେହିପରି ଭିତରକନିକା ଲୁଣା ଜଙ୍ଗଲର ଗଛର ନାମ ଅନୁଯାୟୀ ବହୁ ଗ୍ରାମର ନାମ କରଣ କରାଯାଇଛି। ବନି ଗଛର ନାମ ଅନୁସାରେ ଗାଁର ନାମ ବନିପାଳ, ବନିପାହି ରଖାଯାଇଛି। କେରୁଆଁ ଗଛରେ ଭରପୁର ଥିବା ଗାଁର ନାଁ କେରୁଆଁପାଳ, ସୁନ୍ଦରୀ ଗଛରେ ଭରିଥିବା ଗାଁର ନାଁ ସୁନ୍ଦରୀପାଳ ରଖାଯାଇଛି। ଏଥିସହ ଭିତରକନିକା ଭିତରେ ଜନବସତି ନଥିବା ସ୍ଥାନ ଗୁଡିକର ନାଁ ଲୁଣା ଜଙ୍ଗଲର ନାମ ଅନୁସାରେ ରଖାଯାଇଛି। ଗରାଣି ଗଛରେ ଭରପୁର ଥିବା ସ୍ଥାନର ନାଁ ଗରାଣିପାହି, ଜେଉଳା ଗଛରେ ଭରି ଥିବା ସ୍ଥାନର ନାଁ ଜେଉଳାପାହି ରଖାଯାଇଛି। 

ବିପଦରେ ବାର୍‌ହା   
 ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଆଉ ଆଗ ଭଳି ଜଙ୍ଗଲୀ ବାର୍‌ହାଙ୍କୁ ଦେଖିବାକୁ ମିଳୁନି। ପୂର୍ବରୁ ଯେଉଁ ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ବାର୍‌ହା ପଲକୁ ଦେଖିବାକୁ ମିଳୁଥିଲା, ଏବେ ସେଠି କଦବା କ୍ବଚିତ ଦେଖିବାକୁ ମିଳୁଛି। ଗତବର୍ଷ ୨୨ ଘେରିଆ ନିକଟରୁ ଗୋଟିଏ ମୃତ ବାରହାର କଙ୍କାଳ ମିଳିଥିଲା। ଏହାପରେ ଭିତରକନିକାରେ ବାରହାର ମୃତଦେହ ମିଳିନି। ତେଣୁ ବାରହା ଉଭାନ ହେବା ରହସ୍ୟ ହୋଇ ରହିଛି। ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ପକ୍ଷୀଙ୍କ ସହ ବାରହା, ହରିଣଙ୍କୁ ଅଧିକ ଦେଖିବାକୁ ମିଳୁଥିଲେ। ବିଶେଷ କରି ସଂଧ୍ୟାରେ କନିକା କାଫେ, ମ୍ୟୁଜିୟମ ନିକଟ, ବନଭବନ ନିକଟ, କ୍ବାର୍ଟର୍ସ ଓ ଏଫଆରଏଚ ନିକଟରେ ବାରହା ନଡ଼ିଆ, ପାଣିଆମ୍ବ ଖାଉଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ। ମାତ୍ର ବର୍ଷେ ହେଲା ଆଉ ଏହି ସବୁ ସ୍ଥାନରେ ପର୍ଯ୍ୟଟକମାନେ ବାରହାଙ୍କୁ ଦେଖିବାକୁ ପାଉନାହାନ୍ତି। ଜନବସତିକୁ ଧାନ ଖାଇବାକୁ ଆଉ ବାର୍‌ହା ଆସୁନାହାନ୍ତି। ବାର୍‌ହା ନଈପାର ହୋଇ ଭିତରକନିକା ଫରେଷ୍ଟ ବ୍ଲକ୍‌ ଅଞ୍ଚଳକୁ ଚାଲି ଯାଇଥିବା କିଛି ବନକର୍ମଚାରୀ କହିବା ସହ ବର୍ଷେ ହେଲା ପୂର୍ବଭଳି ଦେଖିବାକୁ ମିଳୁନି ବୋଲି ସ୍ବୀକାର କରିଛନ୍ତି। ଭିତରକନିକାରେ ବାର୍‌ହା ଜୈବବିବିଧତା ସନ୍ତୁଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଘାସର ଚେରମୂଳ, ଉଇ ହୁଙ୍କାର ଉଇ, ପଚାମାଂସ ଖାଇଥାଏ।  ୨୦୨୦ ଗଣନା ରିପୋର୍ଟ ଅନୁସାରେ ଭିତରକନିକାରେ ୧୮୧୧ ବାରହା ଅଛନ୍ତି। ଏତେ ସଂଖ୍ୟକ ବାରହା ଥିବା ବେଳେ ଏବେ ବାରହାଙ୍କୁ ଦେଖିବାକୁ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ୧୯୮୪ ମସିହା ପୂର୍ବରୁ ଭିତରକନିକାରେ ଚିତାବାଘ ଥିଲେ। ଭିତରକନିକାରୁ ବାଘବଂଶ ଲୋପ ପାଇବା ପରି ବାର୍‌ହା ବଂଶ ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।  

୫୦ ବର୍ଷରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର
 ଭିତରକନିକା ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ୫୦ବର୍ଷ ପୂରିବାକୁ ଯାଉଛି। ୧୯୭୫ ମସିହାରେ ଆରମ୍ଭ ହୋଇଥିଲା ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର। ଓଡ଼ିଶା ସରକାରଙ୍କ ବନବିଭାଗ, ଭାରତ ସରକାର ଏବଂ ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ କୁମ୍ଭୀର ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ ଏକ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ନଦୀପଠା ଓ ତତ୍‌ସଂଲଗ୍ନ ସ୍ଥଳ ଭାଗରୁ କୁମ୍ଭୀର ମାନଙ୍କର ଅଣ୍ତା ସଂଗ୍ରହ କରାଯିବା ସହିତ ତାହାକୁ ପ୍ରାକୃତିକ ଉପାୟରେ ଗବେଷଣା କେନ୍ଦ୍ରରେ ଅଣ୍ତାଶୟରେ ଉଷୁମାଇବା, କୁମ୍ଭୀର ଛୁଆ ଗୁଡିକୁ ଯତ୍ନ ସହକାରେ ଆବଦ୍ଧ କୁଣ୍ତ ମଧ୍ୟରେ ପାଳନ କରିବା ଏବଂ ୩ଫୁଟରୁ ଉର୍ଦ୍ଧ୍ବ ଲମ୍ବର କୁମ୍ଭୀର ଗୁଡିକୁ ଅଭୟାରଣ୍ୟରେ ଥିବା ସୁରକ୍ଷିତ ନଦୀ, ନାଳରେ ଛଡ଼ାଯାଇ ସେମାନଙ୍କ ବଂଶ ବୃଦ୍ଧି କରିବା ସହିତ ସେମାନଙ୍କ ଗତିବିଧି ଉପରେ ତଥ୍ୟ ସଂଗ୍ରହ କରିବା ଭଳି କାର୍ଯ୍ୟ ରହିଛି। ୨୨ ଅପ୍ରେଲ, ୧୯୭୫ରେ ୬୭୨ ବର୍ଗ କିମି ଅଞ୍ଚଳକୁ ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ଯାହାକି ରାଜ୍ୟର ପ୍ରଥମ ଅଭୟାରଣ୍ୟ। ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ପାଇଁ ୧୯୭୫ ମସିହାର ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଡାଙ୍ଗମାଳ ଗ୍ରାମକୁ ଲାଗି ବଉଳା କୁମ୍ଭୀର ସଂରକ୍ଷଣ ଓ ଗବେଷଣା ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ପ୍ରଥମଥର ପାଇଁ ଭିତରକନିକାର ଅଭୟାରଣ୍ୟର ସମସ୍ତ ଜୁଆରିଆ ନଦୀ ନାଳରେ ୧୯୭୫ ଡିସେମ୍ବର ଓ ୧୯୭୬ ଜାନୁଆରିରେ ବଉଳା କୁମ୍ଭୀରଙ୍କ ଗଣନା କରାଯାଇଥିଲା। ସେହି ସମୟରେ ଭିତରକନିକାର ସମସ୍ତ ନଦୀ ନାଳରେ ମାତ୍ର ୯୬ଟି କୁମ୍ଭୀର ଥିଲେ। ପ୍ରଜନନ କେନ୍ଦ୍ରରେ ପ୍ରଥମ ବର୍ଷ କାଳିଭଞ୍ଜଡିଆ ଜଙ୍ଗଲ (ବୈତରଣୀ–ଧାମରା ନଦୀ ପରିବେଷ୍ଟିତ ଏକ ଛୋଟ ଦ୍ବୀପାଞ୍ଚଳ)ର ଏକମାତ୍ର ବସାରୁ ୪୮ ଗୋଟି ଅଣ୍ତା ସଂଗ୍ରହ କରାଯାଇ ଭିତରକନିକା (ଡାଙ୍ଗମାଳ) ବଉଳା କୁମ୍ଭୀର ପ୍ରଜନନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ପ୍ରଥମ ବର୍ଷ ୪୮ଟି ଅଣ୍ତା ମଧ୍ୟରୁ ୨୪ଟି ମାଈ ଛୁଆ ଜନ୍ମ ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କ ଠାରୁ ଭିନ୍ନ ଓ ଧଳା ରଙ୍ଗର ହୋଇ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ପରି ଚିକ୍ ଚିକ୍ କରୁଥିବା ଧଳା ଦେହକୁ ଦେଖି ବନବିଭାଗର କର୍ମଚାରୀମାନେ ଏହି ଧଳା କୁମ୍ଭୀରର ନାଁ ଗୋରୀ ଦେଇଥିଲେ। ୧୯୭୬ ମସିହା ପରଠାରୁ ପ୍ରତିବର୍ଷ ୫/୬ଟି କୁମ୍ଭୀର ବସା ଠାବ କରି ଅଣ୍ତା ସଂଗ୍ରହ କରାଯାଇଥିଲା। ୫/୬ଟି ବସାରୁ ୨୦୦ ରୁ ୨୯୦ଟି ଅଣ୍ତା ସଂଗ୍ରହ କରାଯାଇ ଅଣ୍ତା ଗୁଡିକୁ ଅଣାଯାଉଛି। ଏଯାଏଁ ଡାଙ୍ଗମାଳ ଗବେଷଣା କେନ୍ଦ୍ରରୁ ୩ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ୩୫୦୦ କୁମ୍ଭୀରଙ୍କୁ ଭିତରକନିକାର ପ୍ରାକୃତିକ ପରିବେଶରେ ଛଡ଼ାଯାଇ ସାରିଲାଣି।