ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ ପାଇଁ ବିଗୁଲ ବାଜି ସାରିଛି | ଏଥର ନଭେମ୍ବର ଶେଷ ଆଡକୁ ମେଗା ନିଲାମର ଆୟୋଜନ କରାଯିବ। ଏହାପୂର୍ବରୁ ଅକ୍ଟୋବର ୩୧ ରେ, ସମସ୍ତ ଦଳ ସେମାନଙ୍କର ରିଟେନ ଏବଂ ରିଲିଜ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଏଥର ଆଇପିଏଲ୍ ଦଳ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ବଜାୟ ରଖିବା ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିଛନ୍ତି | କେବଳ ୧୦ ଖେଳାଳିଙ୍କୁ ନିଜ ପାଖରେ ରଖିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି | ଆସନ୍ତୁ ଜାଣିବା କେଉଁ ୧୦ ଜଣ ଖେଳାଳିଙ୍କ ପାଇଁ ୨୦୦ କୋଟିରୁ ବି ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି |
ହେନ୍ରିଚ୍ କ୍ଲାସେନଙ୍କୁ ନିଜ ଦଳରେ ରଖିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଏତେ ପରିମାଣର ଅର୍ଥ ଦେଇଛି ଯେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଦୁଇ ବର୍ଷ ପୂର୍ବେ ନିଲାମରେ ବିକ୍ରି ହୋଇନଥିବା ହେନ୍ରିଚ୍ କ୍ଲାସେନଙ୍କୁ ହାଇଦ୍ରାବାଦ ୨୩ କୋଟି ଟଙ୍କାରେ ରିଟେନ କରିଛି | ଆଇପିଏଲ୍ ୨୦୨୫ର ରିଟେନରେ ବିରାଟ କୋହଲି ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି | ଆରସିବି କିଙ୍ଗ କୋହଲିଙ୍କୁ ୨୧ କୋଟି ଟଙ୍କାରେ ରଖିଛି। କିଙ୍ଗ କୋହଲି ଆସନ୍ତା ସିଜନରେ ପୁଣି ଥରେ ଦଳର ନେତୃତ୍ୱ ନେବେ ବୋଲି ଖବର ରହିଛି। ୱେଷ୍ଟଇଣ୍ଡିଜ୍ ର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରାନଙ୍କୁ ରିଟେନ ରଖିବା ପାଇଁ ଲଖନଉ ସୁପର ଜଏଣ୍ଟସ୍ ୨୧ କୋଟି ଟଙ୍କା ଦେଇଛି |
ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଯୁବ ଅଧିନାୟକ ରୁତୁରାଜ ଗାଇକୱାଡଙ୍କୁ ୧୮ କୋଟି ଟଙ୍କାରେ ରଖିଛି। ଗାଇକୱାଡଙ୍କ ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ୧୮ କୋଟି ଟଙ୍କା ମଧ୍ୟ ଦେଇଛି। ଅଧିନାୟକ ସଞ୍ଜୁ ସାମସନଙ୍କୁ ରଖିବା ପାଇଁ ରାଜସ୍ଥାନ ରୟାଲ୍ସ ୧୮ କୋଟି ଟଙ୍କା ଦେଇଛି | ରାଜସ୍ଥାନ ରୟାଲ୍ସ ମଧ୍ୟ ଆଇପିଏଲ ୨୦୨୫ ପାଇଁ ଯୁବ ଓପନର୍ ଯଶସ୍ବୀ ଜୈସୱାଲଙ୍କୁ ବିପୁଳ ପରିମାଣର ଅର୍ଥ ଦେଇଥିଲା।
ରାଜସ୍ଥାନ ଯଶସ୍ୱୀ ଜୟସୱାଲଙ୍କୁ ୧୮ କୋଟି ଟଙ୍କାରେ ରଖିଛି। ଗୋଟିଏ ପଟେ ସମସ୍ତ ଖେଳାଳିଙ୍କ ବେତନରେ ବହୁତ ବୃଦ୍ଧି ଘଟିଛି। ଏଥି ସହିତ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସଙ୍କ ଦରମା ହ୍ରାସ କରାଯାଇଛି। ହାଇଦ୍ରାବାଦ କମିନ୍ସଙ୍କୁ ୧୮ କୋଟି ଟଙ୍କାରେ ରଖିଛି। ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ମୂଲ୍ୟ ଦେଇଛି। ମୁମ୍ବାଇ ବୁମ୍ରାଙ୍କୁ ୧୮ କୋଟି ଟଙ୍କାରେ ରଖିଛି। ଆଫଗାନିସ୍ତାନ ଲେଗ ସ୍ପିନର ରସିଦ ଖାନଙ୍କୁ ଗୁଜୁରାଟ ଟାଇଟାନ୍ସ ୧୮ କୋଟି ଟଙ୍କାରେ ରଖିଛି।