ଆଇପିଏଲ୍‌ ୧୧: ଫାଇନାଲରେ ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ୍‌, ୧୩ ରନ୍‌ରେ କୋଲକାତାର ପରାଜୟ

କୋଲକାତା: ରୋମାଞ୍ଚକ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଫାଇନାଲରେ ପ୍ରବେଶ କରିଛି। କୋଲକାତାର ଇଡେନ ଗାର୍ଡେନରେ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୬୧ ରନ୍‌ ସଂଗ୍ରହ କରିଛି। ୧୩ ରନ୍‌ରେ ବିଜୟୀ ହୋଇଥିବା ହାଇଦ୍ରାବାଦ ଆଗାମୀ ମେ’ ମାସ ୨୭ରେ ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଭେଟିବ। କୋଲକାତାର ଓପରର କ୍ରିସ ଲିନ ଓ ସୁନିଲ ନାରିନ ଆରମ୍ଭରୁ ବିସ୍ଫୋରକ ବେଟିଂ କରିଥିଲେ। ୪୦ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ର ପତନ ଘଟିବା ପରେ ସୁନିଲ ନାରିନ(୨୬) ଆଉଟ ହୋଇ ପାଭଲିଅନ ଫେରିଥିଲେ।

କୋଲକାତା ୮୭ ରନ୍‌ରେ ନୀତିଶ ରାଣାଙ୍କୁ ୯୩ ରନ୍‌ରେ ରବିନ ଉଥାପାଙ୍କୁ, ୧୦୮ ରନ୍‌ରେ ଦିନେଶ କାର୍ତ୍ତିକଙ୍କୁ, ୧୦୮ ରନ୍‌ରେ କ୍ରିସ ଲିନଙ୍କୁ, ୧୧୮ ରନ୍‌ରେ ଆନ୍ଦ୍ରେ ରସେଲଙ୍କୁ ହରାଇଥିଲା। ଶେଷ ୨ ଓଭରରେ ମ୍ୟାଚ ଜିତିବା ପାଇଁ କୋଲକାତାକୁ ୩୦ ରନ୍‌ ଆବଶ୍ୟକ ଥିବା ବେଳେ ୧୮.୧ ଓଭରରେ ସିଦ୍ଧାର୍ଥ କାଉଲଙ୍କ ବଲରେ ପୀୟୁଷ ଚାଓ୍ଵଲା ବୋଲ୍ଡ ହୋଇଥିଲେ। ଶେଷ ଓଭରରେ ୧୯ ରନ୍‌ ଦରକାର ଥିବା ବେଳେ ଶିଭମ ମାଭି ୧୯.୧ ବଲକୁ ଛକା ମାରି ଥିଲେ ହେଁ ପରବର୍ତ୍ତୀ ବଲରେ କ୍ୟାଚ ଆଉଟ ହୋଇ ପାଭଲିଅନ ଫେରିଥିଲେ। ୧୯.୩ ବଲରେ କୋଲକାତା ୯ମ ଓ୍ଵିକେଟ ହରାଇଥିଲା।

ପ୍ରଥମ ଇନିଂସରେ କୋଲକାତା ନାଇଟ ରାଇଡର୍ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୭୫ ରନ୍‌ ଟାର୍ଗେଟ ଦେଇଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର କ୍ୱାଲିଫାୟର-୨ ମ୍ୟାଚରେ ହାଇଦ୍ରାବାଦ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ଏହି ଟାର୍ଗେଟ ମିଳିଥିଲା।

ଟସ୍‌ ଜିଣି କୋଲକାତା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ସନରାଇଜର୍ସ ହାଇଦ୍ରାବାଦ୍‌ ବେଟିଂ କରିଥିଲା। ଓପନର ଋଦ୍ଧିମାନ ଶାହା ୩୫ ରନ୍‌, ଶିଖର ଧାଓ୍ଵନ ୩୪ ରନ୍‌, ଅଧିନାୟକ କେନ ଓ୍ଵିଲିୟିମସନ ୩ ରନ୍‌, ସାକିବୁଲ ହାସନ ୨୮ ରନ୍‌, ଦୀପକ ହୁଡ଼ା ୧୯ ରନ୍‌, ରସିଦ ଖାଁ ଅପରାଜିତ ୩୪ ରନ୍‌ ଯୋଡ଼ିଥିଲେ।

ହାଇଦ୍ରାବାଦ ଆରମ୍ଭରୁ ଭଲ ବେଟିଂ କରିଥିଲା। ୫୬ ରନ୍‌ରେ ପ୍ରଥମ ହାଇଦ୍ରାବାଦ ଶିଖର ଧାଓ୍ଵନଙ୍କୁ ହରାଇଥିଲା। ୬୦ ରନ୍‌ରେ ୨ୟ ଓ୍ଵିକେଟ, ୮୪ ରନ୍‌ରେ ଋଦ୍ଧିମାନ ଶାହା, ୧୧୩ ରନରେ ୪ର୍ଥ ଓ୍ଵିକେଟ୍‌, ୧୨୪ ରନ୍‌ରେ ୫ମ ଓ୍ଵିକେଟ୍‌, ୧୩୪ ରନ୍‌ରେ ୬ଷ୍ଠ ଓ୍ଵିକେଟ ଓ ୧୩୮ ରନ୍‌ରେ ୭ମ ଓ୍ଵିକେଟର ପତନ ଘଟିଥିଲା। କୋଲକାତା ନାଇଟ ରାଇଡର୍ସର କୁଳଦୀପ ଯାଦବ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଶିଭମ ମାଭି, ସୁନିଲ ନାରିନ ଓ ପୀୟୁଷ ଚାଓ୍ଵଲା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର