ଆସନ୍ତା ୧ ରୁ ୨ ବର୍ଷ ମଧ୍ୟରେ ଇରାନ ହାତରେ ପରମାଣୁ ବୋମା ଥିବ : ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ

ପ୍ୟାରିସ୍‌ : ଆମେରିକା ସହ ବିବାଦ ପରେ ପରମାଣୁ ଚୁକ୍ତିରୁ ଓହରିବା ବିଷୟରେ ଇରାନ କିଛି ଦିନତଳେ ଘୋଷଣା କରିଥିଲା । କିନ୍ତୁ ଏହା ବେଶ ଚିନ୍ତାର କାରଣ ବୋଲି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ-ଭେସ ଲି ଡ୍ରାୟାନ କହିଛନ୍ତି । ସେ କହିଛନ୍ତି ଯେ ପରମାଣୁ ଚୁକ୍ତିରୁ ଓହରିବା ପରେ ଆସନ୍ତା ବର୍ଷେ ଦୁଇବର୍ଷ ମଧ୍ୟରେ ଇରାନ ପରମାଣୁ ବୋମା ନିର୍ମାଣ କରିବାରେ ସକ୍ଷମ ହୋଇଯିବ । ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।

ଶୁକ୍ରବାରଦିନ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନେ ଏକ ବୈଠକରେ ଏକତ୍ରିତ ହୋଇ ଇରାନ ଓ ଆମେରିକା ବିବାଦ ସଂପର୍କରେ ଆଲୋଚନା କରିବେ । ଦୁଇଦେଶଙ୍କ ମଧ୍ୟ କିପରି ଉତ୍ତେଜନା ହ୍ରାସ କରାଯାଇପାରିବ ସେଥିଲାଗି ଉପାୟ ବାହାର କରିବାକୁ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହେବାର ସମ୍ଭାବନା ରହିଛି ।

୨୦୧୫ରେ ବାରାମ ଓବାମାଙ୍କ ରାଷ୍ଟ୍ରପତିତ୍ୱ କାଳରେ ଇରାନ ଓ ଆମେରିକା ମଧ୍ୟରେ ଆଣବିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଅନୁସାରେ ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ଧୀମା କରିବାକୁ ରାଜି ହୋଇଥିଲା । ଏହା ସହିତ କେବଳ ବେସାମରିକ ଉଦ୍ଦେଶ୍ୟରେ ଆଣବିକ ଟେକନଲୋଜୀର ବ୍ୟବହାର ପାଇଁ ଇରାନ ରାଜି ହୋଇଥିଲା । କିନ୍ତୁ ଗତ ଶୁକ୍ରବାରଦିନ ଆମେରିକା ଦ୍ୱାରା ଇରାନର ବରିଷ୍ଠ ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ସ୍ଥିତି ବିଗିଡ଼ିଯାଇଥିଲା । ଏହାସହିତ ଇରାନ ପରମାଣୁ ଚୁକ୍ତିରୁ ଓହରିବା ବିଷୟରେ ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର