ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରକ୍‌ ଓଲଟି ପଡିବାରୁ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲପର ଗୁରୁତର ହୋଇଛନ୍ତି।କେନ୍ଦୁଝରରୁ କୋଲକାତା ଯାଉଥିବା ଟ୍ରକ୍‌ (ୟୁପି ୧୨ ଏଟି ୧୪୯୩) ଦୁଆରଶୁଣୀ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ସୁରକ୍ଷା ପାଚେରୀରେ ଧକ୍କା ହୋଇ ଓଲଟି ପଡ଼ିଥିଲା। 

Advertisment

ଦୁର୍ଘଟଣା ପରେ ଉଭୟ ଚାଳକ ଓ ହେଲପର୍ ଟ୍ରକ୍ ମଧ୍ୟରେ ଚାପି ହୋଇ ଯାଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। କଟର ମେସିନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ମଧ୍ୟରୁ ହେଲପରକୁ ଗୁରୁତର ଆହତ ଅବସ୍ଥାରେ ଜୀବିତ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ସାହାଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

Mayurbhanj

ତେବେ ଟ୍ରକ୍ ଓ ଆଇରନ ଭିତରେ ଚାପି ହୋଇ ରହିଥିବା ଚାଳକଙ୍କୁ ଦୀର୍ଘ ସମୟ ଧରି ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ଆଣିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଖବର ପଢ଼ନ୍ତୁ: ମା’ଙ୍କ ଦର୍ଶନ ସାରି ଫେରିବା ବେଳେ ଟ୍ରକ୍‌ ଚାପିଦେଲା, ୨ ମହିଳା ଶ୍ରଦ୍ଧାଳୁ ମୃତ

ଦୁର୍ଘଟଣା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରିଥିଲେ। ଗୁରୁତର ହେଲପର ଉତ୍ତର ପ୍ରଦେଶର ଶିବୁ କୁମାର (୩୨)ଅଧିକ ଚିକିତ୍ସା ପାଇଁ ବାରିପଦା ପଠାଯାଇ ଥିବା ବେଳେ  ହରିଆଣା ଜିଲ୍ଲାର ଡ୍ରାଇଭର ସଂଜୁ ମଣିରାମ (୩୬)ଙ୍କର ଶବ ଆସନ୍ତାକାଲି ବ୍ୟବଚ୍ଛେଦ ହେବ ବୋଲି ପୁଲିସ କହିଛି।