ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଏକାଦଶତମ ସଂସ୍କରଣ ଆସନ୍ତା ମାସ ୧୩ ତାରିଖରୁ ଆରମ୍ଭ ହେବ। ରବିବାର ସୂଚୀ ଘୋଷିତ ହୋଇଛି। ଏହି ୧୩ ଦଳୀୟ ପ୍ରତିଯୋଗିତାର ଉଦ୍ଘାଟନୀ ମୁକାବିଲାରେ ଗତ ସଂସ୍କରଣ ଫାଇନାଲିଷ୍ଟ ମୋହନ ବାଗାନ ସୁପର ଜାଏଣ୍ଟ୍ ଓ ମୁମ୍ବାଇ ସିଟି ଏଫ୍ସି ମୁହାଁମୁହିଁ ହେବେ। ଏହି ମୁକାବିଲା କୋଲ୍କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ। ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍ସି ୧୪ ତାରିଖରେ ଚେନ୍ନାୟିନ୍ ଏଫ୍ସି ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ସଂଧ୍ୟା ୫ଟାରେ ଖେଳାଯିବ।
ଏହି ପ୍ରତିଯୋଗିତାରେ ୧୩ ଦଳ ଭାଗ ନେଉଛନ୍ତି। ଆଇ-ଲିଗ୍ ବିଜେତା ମହମ୍ମଡାନ ସ୍ପୋର୍ଟ୍ସ କ୍ଲବ୍ ପ୍ରଥମ ଥର ଲାଗି ଆଇଏସ୍ଏଲ୍ରେ ଖେଳିବ। ତେବେ ହାଇଦ୍ରାବାଦ ଏଫ୍ସି ସୂଚୀରେ ରହିଥିଲେ ମଧ୍ୟ ଏହାର ଖେଳିବା ଆଶା ଏଆଇଏଫ୍ଏଫ୍ କ୍ଲବ୍ ଲାଇସେନ୍ସିଂ ମଞ୍ଜୁରି ଉପରେ ରହିଛି। ଏହି ଦଳ ୧୯ ତାରିଖରେ ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ଖେଳିବାର ଅଛି। ତେବେ ଏହା ମଧ୍ୟରେ ମଞ୍ଜୁରି ନମିଳେ ତେବେ ଏହି ଦଳ ବାଦ୍ ପଡ଼ିବ।