ଜଗନ୍ନାଥଙ୍କ ୬୧୩ ଏକର ଜମି ଅବରୋଧ ରହିଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର : ଶ୍ରୀଜଗନ୍ନାଥଙ୍କ ୬୧୩.୪୧୭ ଏକର ଜମିକୁ ବେଆଇନ ଭାବେ ଅବରୋଧ କରାଯାଇଛି। ଜମି ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ତଦନ୍ତ ଜରିଆରେ ଚିହ୍ନଟ କରାଯାଇଛି। ବେଆଇନ ଅବରୋଧକୁ ଉଚ୍ଛେଦ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୧୬-ଏ(ଆଇ)ରେ ବର୍ଣ୍ଣିତ ବ୍ୟବସ୍ଥାନୁଯାୟୀ ସଂପୃକ୍ତ ତହସିଲଦାରଙ୍କ ଇଜିଲାସରେ ବେଆଇନ ଅବରୋଧୀଙ୍କ ବିରୋଧରେ ୯୬୬ଟି ମାମଲା ଦାଏର କରାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାରକା କହିଛନ୍ତି ଯେ ଖୋର୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଉଦ୍ୟମରେ ୪ଟି ମୌଜା ଯଥା ଭଁସର, ବୁଢ଼ାପଡ଼ା, କନ୍ତିଆ, କୁଦିଆରୀସ୍ଥିତ ମହାପ୍ରଭୁଙ୍କ ୪୪୮.୪୦୬ ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଅବଶିଷ୍ଟ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ପ୍ରଚେଷ୍ଟା କରାଯାଇଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୋଟ ୬୦,୮୨୨.୧୯୫ ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ କରାଯାଇଛି। ‌ତହିଁରୁ ବର୍ତମାନସୁଦ୍ଧା ୩୫,୩୨୧.୪୩୩ ପରିମିତ ଜମିର ସଂଶୋଧିତ ସତ୍ତ୍ବଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କର ଭୂସଂପତ୍ତି ବିଭିନ୍ନ କିସମରେ ଥାଇ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅବସ୍ଥିତ ଥିବାରୁ ଏହାର ଉପଯୁକ୍ତ ମୂଲ୍ୟ ଆକଳନ କରିବା ସମ୍ଭବପୁର ନୁହେଁ ବୋଲି ଶ୍ରୀ ସାରକା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର