ଜଗତସିଂହପୁର ଲୋକସଭା ଆସନରେ ପୁଣି ଥରେ ଉଡିପାରେ ସବୁଜ ବାନା ଓ ୭ ବିଧାନସଭା ଆସନରୁ ୫ଟି ଯାଇପାରେ ବିଜେଡି ଖାତାକୁ 

ଭୁବନେଶ୍ୱର:ଜଗତସିଂହପୁର ଲୋକସଭା ଆସନରେ ପୁଣିଥରେ ଉଡିପାରେ ସବୁଜ ବାନା । ବିଜେଡିର ଅଭେଦ୍ୟ ଗଡ ରହିଥିବା ଜଗତସିଂହପୁରରେ ପୁଣିଥରେ ଚାଲିପାରେ ନବୀନଙ୍କ ଯାଦୁ । ଦିଲ୍ଲୀ ଲଢେଇରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମାରିପାରନ୍ତି ବାଜି । ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ ରିପୋର୍ଟରେ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି । ଏହାଛଡା ଜଗତସିଂହପୁର ଲୋକସଭା ଅଧୀନରେ ଆସୁଥିବା ୭ ବିଧାନସଭା ଆସନରେ ଦମଦାର ପ୍ରଦର୍ଶନ କରିପାରେ ବିଜେଡି । ନିମାପଡା ଓ ଜଗତସିଂହପୁରକୁ ଛାଡିଦେଲେ ବାକି ସବୁ ଆସନରେ ବିଜୟୀ ଟିକା ପିନ୍ଧିପାରେ ବିଜେଡି । ନିମାପଡାରେ ତ୍ରିମୁଖୀ ଲଢେଇ ଓ ଜଗତସିଂହପୁରରେ କଂଗ୍ରେସ ବାଜି ମାରିପାରେ ବୋଲି ବୁଥ ବାହୁଡା ମତ କହୁଛି ।

ନିଆଳି ଶାସନ ଡୋରି ବିଜେଡି ହାତକୁ ଯାଇପାରେ

ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ପୁଣିଥରେ ନିଆଳି ଶାସନ ଡୋରି ବିଜେଡି ହାତକୁ ଯାଇପାରେ । 

ପାରାଦ୍ୱୀପରେ  ବିଜେଡିକୁ ମିଳିପାରେ ବଡ ବିଜୟ

ସେହିଭଳି ପାରାଦ୍ୱୀପରେ ମଧ୍ୟ ବିଜେଡିକୁ ବଡ ବିଜୟ ଦେଇପାରନ୍ତି ସମ୍ବିତ ରାଉତରାୟ । ପୂର୍ବରୁ ପାରାଦ୍ୱୀପ ଆସନ ବିଜେଡି ଦଖଲରେ ରହି ଆସିଛି । 

ତିର୍ତ୍ତୋଲରେ ପୁଣିଥରେ ଶଙ୍ଖ ଧ୍ୱନି ଶୁଭିପାରେ 

ତିର୍ତ୍ତୋଲରେ ପୁଣିଥରେ ଶଙ୍ଖ ଧ୍ୱନି ଶୁଭିପାରେ ବୋଲି ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲରେ ମତ ରଖିଛନ୍ତି ବୁଥ୍ ଫେରନ୍ତା ମତଦାତା । ଅଭିଜ୍ଞ ବିଷ୍ଣୁଙ୍କୁ ପୁଣିଥରେ ବିଧାନସଭାରେ ଦେଖିବାକୁ ମିଳିପାରେ ବୋଲି ବୁଥ୍ ବାହୁଡା ମତରୁ ଆକଳନ କରାଯାଇଛି ।

ବାଲିକୁଦା-ଏରସମାରେ ପୁଣିଥରେ ବାଜି ମାରିପାରେ ବିଜେଡି

ବାଲିକୁଦା-ଏରସମାରେ ପୁଣିଥରେ ବାଜି ମାରିପାରେ ବିଜେଡି । ଅଭିଜ୍ଞ ଦାମଙ୍କୁ ମାତ୍ ଦେଇ ବିଜେଡିର ଗଡ ରକ୍ଷା କରିପାରନ୍ତି ରଘୁନନ୍ଦନ । ଏହାସହ ଦାମଙ୍କ ବିଜୟରଥରେ ପ୍ରଥମ ଥର ପାଇଁ ଲାଗିପାରେ ବ୍ରେକ । ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲରେ ଏଭଳି ମତ ରଖିଛନ୍ତି ମତଦାତା ।

ଜଗତସିଂହପୁର ଆସନରେ ବାଜି ମାରିପାରେ କଂଗ୍ରେସ

ଅନ୍ୟପଟେ ଏକମାତ୍ର ଆସନ ଭାବେ ଜଗତସିଂହପୁର ଆସନରେ ବାଜି ମାରିପାରେ କଂଗ୍ରେସ।  ଅଭିଜ୍ଞ ଚିରଞ୍ଜୀବିଙ୍କ ପାଇଁ ପୁଣିଥରେ ଏହି ଆସନରେ ହାତ ଟେକିପାରେ କଂଗ୍ରେସ । ବୁଥ୍ ବାହୁଡା ମତରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି ।

କାକଟପୁରରେ ପୁଣିଥରେ ବିଜେଡିର ପୂର୍ବ କରିସ୍ମା ଦେଖିବାକୁ ମିଳିପାରେ

ସେହିଭଳି କାକଟପୁରରେ ପୁଣିଥରେ ବିଜେଡିର ପୂର୍ବ କରିସ୍ମା ଦେଖିବାକୁ ମିଳିପାରେ । ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ଏହି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଏକଜିଟ୍ ପୋଲରୁ ସାମ୍ନାକୁ ଆସିଛି ।

ନିମାପଡାରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ

କେବଳ ନିମାପଡାରେ କିଏ ଶାସନ କ୍ଷମତାକୁ ଫେରିବ ତାହା ଏକଜିଟ୍ ପୋଲରେ ସ୍ପଷ୍ଟ ହୋଇନାହିଁ । ନିମାପଡାରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ । ପୂର୍ବରୁ ଏହି ଆସନ ବିଜେଡି ଦଖଲରେ ରହିଥିବା ବେଳେ ଚଳିତଥର କାହା ସପକ୍ଷରେ ଭୋଟର ନିଜର ମତ ଦେଇଛନ୍ତି ତାହା ସସପେନ୍ସରେ ରହିଛି । 

ସମ୍ବନ୍ଧିତ ଖବର