ଲଦାଖ ପ୍ରସଙ୍ଗରେ ଭାରତକୁ ଜାପାନର ସମର୍ଥନ, ଚୀନକୁ ଟାର୍ଗେଟ୍

ନୂଆଦିଲ୍ଲୀ : ଲଦାଖ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି ଜାପାନ । ଚୀନ ମନଇଚ୍ଛା ଏଲଏସିର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରୁଛି ବୋଲି ଜାପାନ କହିଛି । ଏହା ସହିତ ଭାରତ ସହ ଗୁଇନ୍ଦା ସୂଚନା ଆଦାନପ୍ରଦାନ ପାଇଁ ଜାପାନ ରାଜି ହୋଇଛି ।

ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସୀ ସୁଜୁକୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସେ ଆଜି ଭାରତର ବୈଦେଶିକ ସଚିବ ହର୍ଷ ସିଙ୍ଗଲାଙ୍କ ସହିତ କଥା ହୋଇଛନ୍ତି । ଚୀନ ସହ ବିବାଦକୁ ଭାରତ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତର ଉଦ୍ୟମକୁ ସେ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟମରେ ବିବାଦର ସମାଧାନକୁ ଜାପାନ ସମର୍ଥନ କରେ ମାତ୍ର ଏକପାଖିଆ ଭାବେ ସ୍ଥିତାବସ୍ଥା ବଦଳାଇବା ଉଦ୍ୟମକୁ ଜାପାନ ବିରୋଧ କରେ ।

ଉଭୟ ଜାପାନ ଓ ଭାରତ ଚୀନର ବିସ୍ତାରବାଦୀ ନୀତି ଦ୍ବାରା ପ୍ରଭାବିତ ହୋଇଥିବାରୁ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବିଗତ କିଛିବର୍ଷ ମଧ୍ୟରେ ବଢିଛି । ଜାପାନ ନିକଟରେ ନିଜର ଏକ ଆଇନରେ ସଂଶୋଧନ ଆଣି ଭାରତକୁ ଗୁଇନ୍ଦା ସୂଚନା ପ୍ରଦାନ ଲାଗି ପଥ ଉନ୍ମୁକ୍ତ କରିଛି । ପୂର୍ବରୁ କେବଳ ଆମେରିକାକୁ ଜାପାନ ଗୁଇନ୍ଦା ସୂଚନା ପ୍ରଦାନ କରୁଥିଲା । କିନ୍ତୁ ଏବେ ଭାରତ, ଅଷ୍ଟ୍ରେଲିଆ ଓ ବ୍ରିଟେନକୁ ଗୁଇନ୍ଦା ସୂଚନା ପ୍ରଦାନ କରିପାରିବ ।

ଏକ ଦ୍ବୀପର ମାଲିକାନା ପାଇଁ ଜାପାନ ଓ ଚୀନ ମଧ୍ୟରେ ବିବାଦ ବଢିଯାଇଛି । ଏଥିଲାଗି ଜାପାନ ସୀମାରେ ମିସାଇଲ ମୁତୟନ କରିଛି ।

 

ସମ୍ବନ୍ଧିତ ଖବର