ଭୁବନେଶ୍ୱର: ବଡ ହେଲେ ତୁମେ କଣ ପଢିବ? ଶିକ୍ଷକଙ୍କ ଏହି ପ୍ରଶ୍ନର ଉତ୍ତରରେ ଅନେକ କୁହନ୍ତି ଆମେ ବଡ ହେଲେ ଡାକ୍ତର, ଇଂଜିନିୟର ହେବୁ | ଛୋଟ ମନରେ ଯଦିଓ ଇଂଜିନିୟରିଂ ପାଠପଢାର ସବୁଠାରୁ ଭଲ ଶିକ୍ଷାନୁଷ୍ଠାନ ବିଷୟରେ ସେତେଟା ଜ୍ଞାନ ନଥାଏ, କିନ୍ତୁ କିଛି ଆଇଆଇଟିର ନାମ ନିଅନ୍ତି | ସମୟ ବଢିବା ସଂଗେ ସଂଗେ ଜଣେ ଆଇଆଇଟିରେ ପାଠ ପଢ଼ିଥାଏ | ତେବେ ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜିର ଏହି ଶିକ୍ଷାନୁଷ୍ଠାନରେ ପଢ଼ିବାର ଅନେକ ଛାତ୍ରଛାତ୍ରୀଙ୍କର ସ୍ବପ୍ନ ଥାଏ | କେବଳ ଯେ ସ୍ବପ୍ନ ଦେଖିଲେ ହେବନାହିଁ ବରଂ ପ୍ରବେଶ ପାଇଁ ପ୍ରବଳ ପରିଶ୍ରମ ସାଙ୍ଗକୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଆମ ରାଜ୍ୟ ଓଡ଼ିଶାରେ ବି ଆଇଆଇଟି ବା ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ରହିଛି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରବେଶିକା ପରୀକ୍ଷାରେ ଟପ-୨୦୦୦ ଜଣଙ୍କୁ ଆଇଆଇଟି ଭୁବନେଶ୍ୱର ଆକୃଷ୍ଟ କରିପାରିନାହିଁ |
ଏଥର ମଧ୍ୟ, ଜେଇଇ ଆଡଭାନ୍ସଡ୍ ୨୦୨୫ର ଶ୍ରେଷ୍ଠ ୧୦୦ ଟପର୍ ମଧ୍ୟରୁ କେହି ଆଇଆଇଟି ଭୁବନେଶ୍ୱରକୁ ଯାଇ ନାହାଁନ୍ତି | ଶ୍ରେଷ୍ଠ ୧୦୦ଙ୍କ କଥା ଛାଡ଼ନ୍ତୁ ଟପ-୨୦୦୦ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଇଆଇଟି ଭୁବନେଶ୍ୱର ପସନ୍ଦ ଆସିନାହିଁ | ଅବଶ୍ୟ ଟପ-୨୦୦୦ରୁ ଟପ-୫୦୦୦ ଭିତରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩ ଜଣ ଆଇଆଇଟି ଭୁବନେଶ୍ୱରକୁ ପସନ୍ଦ କରିଛନ୍ତି | କିନ୍ତୁ ଏହି ସଂଖ୍ୟା ତୁଳନାତ୍ମକ ଭାବେ ବହୁତ କମ |
ବାସ୍ତବରେ ଜେଇଇ ଆଡଭାନ୍ସଡ୍-୨୦୨୫ ରିପୋର୍ଟରେ, ଜଣାପଡିଛି ଯେ ଶ୍ରେଷ୍ଠ ୨୦୦ ରାଙ୍କର୍ସଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ ଛାତ୍ର ଆଇଆଇଟି ବମ୍ବେକୁ ବାଛିଛନ୍ତି। ଏମାନଙ୍କ ମଧ୍ୟରୁ ୧୦୫ ଜଣ ବମ୍ବେକୁ ପସନ୍ଦ କରିଥିବାବେଳେ ୪୪ ଜଣ ଛାତ୍ର ଦିଲ୍ଲୀ, ୩୫ ଜଣ ମାଡ୍ରାସ ଏବଂ କେବଳ ୧୨ ଜଣ କାନପୁରକୁ ପସନ୍ଦ କରିଛନ୍ତି |
ଅର୍ଥାତ୍, ଆଇଆଇଟି ବମ୍ବେ ଟପର୍ ଛାତ୍ରଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ରିପୋର୍ଟର ସବୁଠାରୁ ବଡ଼ ଖୁଲାସା ହେଉଛି ଯେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରୁ କେହି ଜଣେ ବି ଆଇଆଇଟି ଭୁବନେଶ୍ୱରକୁ ବାଛି ନାହାଁନ୍ତି। ଏମାନଙ୍କ ମଧ୍ୟରୁ ୭୩ ଜଣ ଛାତ୍ର ବମ୍ବେ, ୧୯ ଜଣ ଦିଲ୍ଲୀ ଏବଂ ୬ ଜଣ ମାଡ୍ରାସକୁ ବାଛିଛନ୍ତି। ଉଲ୍ଲେଖ ଥାଉ କି ନଅଟି ଆଇଆଇଟି - ଭୁବନେଶ୍ୱର, ମଣ୍ଡି, ଯୋଧପୁର, (ଆଇଏସଏମ) ଧାନବାଦ, ଭିଲାଇ, ଗୋଆ, ପାଲକ୍କଡ, ଜମ୍ମୁ ଏବଂ ଧାରୱାଡ ଭଳି ଆଇଆଇଟିରେ ଶ୍ରେଷ୍ଠ ୨୦୦୦ ଛାତ୍ରଙ୍କ ମଧ୍ୟରୁ କେହି ଜଣେ ବି ଆବେଦନ କରିନାହାନ୍ତି |
ତେବେ ବମ୍ବେ ଓ ଦିଲ୍ଲୀ ଆଇଆଇଟିକୁ କାହିଁକି ଅଧିକ ପସନ୍ଦ କରାଯାଉଛି ପ୍ରଶ୍ନରେ ଶିକ୍ଷାବିତ ଡ଼.ହୃଷିକେଶ ମହାନ୍ତି କହିଛନ୍ତି ଯେ ଏହି ଦୁଇଟି ଶିକ୍ଷାନୁଷ୍ଠାନ ପୁରୁଣା ହୋଇଥିବାବେଳେ ବିଶ୍ୱସ୍ତରୀୟ ରାଙ୍କିଙ୍ଗରେ ଅନ୍ୟମାନଙ୍କଠାରୁ ଉପରେ ଅଛନ୍ତି | ଯେତେ ଭଲ ରାଙ୍କିଙ୍ଗ ରହିବ ସେତେ ବିଶ୍ୱସ୍ତରୀୟ କମ୍ପାନୀମାନେ ନିଯୁକ୍ତି ପାଇଁ ଆସନ୍ତି | ସେହିପରି ଅନେକ ସଂସ୍ଥା ଏହି ଶିକ୍ଷାନୁଷ୍ଠାନ ସହ ଗବେଷଣା ପାଇଁ ହାତ ମିଳାନ୍ତି | ବିଶେଷ କରି ଛାତ୍ରଛାତ୍ରୀମାନଙ୍କର ଦୁଇଟି ଲକ୍ଷ୍ୟ ଥାଏ ଯେ କ୍ୟାରିୟର ସୁଯୋଗ ଓ ନିଯୁକ୍ତି | ଏମାନଙ୍କର ପ୍ଲେସମେଣ୍ଟ ରେକର୍ଡ ବହୁତ ଭଲ ଥିବାବେଳେ ଷ୍ଟାର୍ଟଅପରେ ବି ବହୁତ ଆଗରେ ଅଛନ୍ତି | ଡ଼.ହୃଷିକେଶ ମହାନ୍ତିଙ୍କ କହିବା କଥା ଯେ ଏହି ଦୁଇ ଶିକ୍ଷାନୁଷ୍ଠାନ ଇନୋଭେସନକୁ ଗୁରୁତ୍ୱ ଦିଅନ୍ତି | ସେଥିପାଇଁ ଆଡ଼ଭାନ୍ସଡ଼ ଲ୍ୟାବ ବି ରହିଛି | ସେହିପରି ଆଲୁମନି ନେଟୱାର୍କ ବହୁତ ଭଲ, ଯାହାଦ୍ୱାରା ଛାତ୍ରଛାତ୍ରୀ ଦେଖନ୍ତି ଯେ ଭବିଷ୍ୟତରେ ଏହି ଆଲୁମନିମାନେ ବି ସେମାନଙ୍କୁ ଗୁରୁତ୍ୱ ସହ ସହଯୋଗ ଦେବେ | ଏହି ଆଇଆଇଟିଗୁଡିକରେ ଏକସଙ୍ଗେ ଦୁଇଟି ଡିଗ୍ରୀ ପାଠ୍ୟକ୍ରମ ରହିଛି | ଯାହାକୁ କରିବାକୁ ଛାତ୍ରଛାତ୍ରୀ ଅଧିକ ଆଗ୍ରହ ଦେଖାଉଛନ୍ତି |
ସେହିପରି ଭୁବନେଶ୍ୱର ଆଇଆଇଟି କାହିଁକି ପଛରେ ପଡିଛି ପ୍ରଶ୍ନରେ ସେ କହିଛନ୍ତି ଯେ ରାଙ୍କିଙ୍ଗରେ ଟିକେ ପଛରେ ଅଛି | ସେହିପରି ପ୍ଲେସମେଣ୍ଟରେ କମ ନିଯୁକ୍ତିଦାତା ଆସୁଥିବାବେଳେ ଏଠାରେ କମ ଟେକ ହବ ଅଛି | ଗୋଟିଏ ଦୁଇଟି ପାଠ୍ୟକ୍ରମକୁ ଛାଡିଦେଲେ ଅନ୍ୟ ପାଠ୍ୟକ୍ରମ ଅନ୍ୟ ଆଇଆଇଟି ତୁଳନାରେ ପଛରେ ପଡିଯାଇଛି | ଏଆଇ, ରୋବଟିକ୍ସ ଆଧାରିତ ପାଠ୍ୟକ୍ରମ ସହ ଆଡ଼ଭାନ୍ସଡ଼ ଲ୍ୟାବ ସେତେଟା ନାହିଁ | ସେହିପରି ଆଲୁମନି ନେଟୱାର୍କ ବି ଏତେ ଶକ୍ତ ହୋଇନାହିଁ | ସେହିପରି ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ସେତେଟା ଚୁକ୍ତି ନାହିଁ | ଏଥିପାଇଁ ରିସର୍ଚ୍ଚକୁ ଅଧିକ ବଢାଇବାକୁ ପଡିବ | ସେହିପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ସହ ଆଇଆଇଟି ଭୁବନେଶ୍ୱରକୁ ଅଧିକ ଯୋଡି ହେବାକୁ ହେବ |