‘ଯଜୁର୍ବେଦ’ ଅନ୍ତର୍ଗତ ‘କଠୋପନିଷଦ’ ଗୋଟିଏ ମୁଖ୍ୟ ଉପନିଷଦ। ଏହା ତିନିଟି ‘ବଲ୍ଲୀ’ରେ ବିଭକ୍ତ। ଏହାର ତୃତୀୟ ବଲ୍ଲୀରେ ରହିଛି ରଥର ଏକ ସୁନ୍ଦର ତତ୍ତ୍ୱ। ଋଷି ବାଜଶ୍ରବାଙ୍କ ପୁତ୍ର ନଚିକେତା ଓ ଯମରାଜାଙ୍କ କଥୋପକଥନ ମାଧ୍ୟମରେ ଏହା ବର୍ଣ୍ଣିତ ହୋଇଛି। ନଚିକେତା ଥିଲେ ଅତ୍ୟନ୍ତ ଦୃଢ଼ମନା ଓ ଜିଜ୍ଞାସୁ ବାଳକ। ସେ ଯମଲୋକରେ ପହଞ୍ଚି ଯମରାଜାଙ୍କଠାରୁ ବର ଲାଭ କରିଥିଲେ ଏବଂ ତାଙ୍କଠାରୁ ଶରୀର, ଆତ୍ମା, ମୋକ୍ଷ ଆଦି ବାବଦରେ ବହୁ ଗୂଢ଼ତତ୍ତ୍ୱ ଜାଣି ପାରିଥିଲେ। ନଚିକେତା ଶରୀର ଓ ଆତ୍ମା ବିଷୟରେ ଜାଣିବାକୁ ଚାହିଁବାରୁ ଯମରାଜ ତାଙ୍କୁ ବୁଝାଇ କହିଥିଲେ- ହେ ବାଳକ ନଚିକେତା! ଶରୀର ହେଉଛି ରଥ। ଆତ୍ମା ତା’ର ରଥୀ। ବୁଦ୍ଧି ସେହି ରଥର ସାରଥି। ମନ ତାହାର ପ୍ରଗ୍ରହ ବା ଲଗାମ। ଇନ୍ଦ୍ରିୟମାନେ ସେହି ରଥର ଅଶ୍ୱ। ଇନ୍ଦ୍ରିୟଗ୍ରାହ୍ୟ ବସ୍ତୁମାନ ସେହି ରଥର ପଥ। ଆତ୍ମା, ଇନ୍ଦ୍ରିୟ ଓ ମନ ସମନ୍ୱିତ ହେଲେ ହିଁ ଜଣେ ଭୋକ୍ତା ହୋଇଥାଏ।
ଏହି ରଥତତ୍ତ୍ୱ ବା ରଥର ରୂପକ ଆମକୁ ଯେଉଁ କଥାଟି କହେ, ତାହା ହେଉଛି- ଆମର ଇନ୍ଦ୍ରିୟମାନେ ଘୋଡ଼ା ପରି ନିଜ ନିଜର ଗୁଣ ଅନୁରୂପେ ଆମକୁ ଅଲଗା ଅଲଗା ଦିଗରେ ଟାଣିଥାଆନ୍ତି। ସେହି ଇନ୍ଦ୍ରିୟମାନେ ହେଉଛନ୍ତି, ପଞ୍ଚଜ୍ଞାନେନ୍ଦ୍ରିୟ- ଅର୍ଥାତ୍, ଆମର ଆଖି, କାନ, ନାକ, ଜିଭ ଓ ତ୍ୱକ୍ (ଚର୍ମ)। ସେମାନଙ୍କର ଗୁଣ ହେଉଛି- ଦୃଶ୍ୟ, ଶବ୍ଦ, ଗନ୍ଧ, ରସ ଓ ସ୍ପର୍ଶ। ଏମାନେ ଏହି ସବୁ ସାଂସାରିକ ସୁଖ ଆଡ଼କୁ ଆମକୁ ଆକର୍ଷିତ କରନ୍ତି। ମନର ଲଗାମ ଦ୍ୱାରା ଯଦି ସେମାନଙ୍କୁ ନିୟନ୍ତ୍ରଣ କରା ନଯାଏ, ଏବଂ ବୁଦ୍ଧି ଯଦି ସାରଥି ପରି ମନର ଲଗାମ ଦ୍ୱାରା ସେମାନଙ୍କୁ ନିୟନ୍ତ୍ରିତ କରି ଲକ୍ଷ୍ୟ ପଥରେ ନନିଏ- ତେବେ ଆତ୍ମା ଯେଉଁ ରଥର ରଥୀ, ସେ ରଥ ପରମାତ୍ମାଙ୍କ ନିକଟରେ ପହଞ୍ଚି ପାରେ ନାହିଁ। ଏଣୁ ରଥୀ, ସାରଥୀ ଓ ଅଶ୍ୱ- ଅର୍ଥାତ୍, ଆତ୍ମା, ବୁଦ୍ଧି ଓ ଇନ୍ଦ୍ରିୟ ଏକାଗ୍ର ହେଲେ ହିଁ ଆମର ଶରୀର-ରଥ ବା ଆମେ ପରମାତ୍ମାଙ୍କୁ ପାଇପାରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/gdj4gd65j4gd654j654gd65j.jpg)