ଭୁବନେଶ୍ୱର:  ମା' ସିନା ସାଙ୍ଗରେ ଯାଇପାରୁନାହାନ୍ତି, ହେଲେ ମୁଁ ଯୁଆଡେ ବି ଯାଏ ମା'କୁ ମୋର ଅନୁଭବ କରେ | ମା'ର ପିନ୍ଧାଶାଢ଼ି ଆଲମିରାରେ ସାଇତି ହୋଇ ରହିବା ଅପେକ୍ଷା ମୋ ସହ ସବୁବେଳେ ରହୁ, ମା'ର ପଣତ ସବୁବେଳେ ମୋ ପାଖେ ପାଖେ ଥାଉ | ସ୍ମୃତି, ସ୍ନେହ ସହ ଯେବେ ସମ୍ମାନ ମିଳେ ସେବେ ହିଁ ଜୀବନରେ ସାର୍ଥକତା ଆସେ | କିଛି ଏଭଳି କହିଛନ୍ତି ଅନ୍ତର୍ଜାତୀୟ ସିନେ ନିର୍ମାତା ତଥା ଚଳିତବର୍ଷ ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା ଜିତେନ୍ଦ୍ର ମିଶ୍ର | ବାସ୍ତବରେ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଯେତେବେଳେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ସେତେବେଳେ ସେ ଏକ ସେରୱାନି ପିନ୍ଧିଥିଲେ | ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |

Advertisment

ଏହି ସେରୱାନିରେ ଓଡିଶାର ହସ୍ତକଳା ସହ ଓଡ଼ିଆ ବୁଣା କାରିଗରଙ୍କ ପରିଶ୍ରମ ଦେଖିବାକୁ ମିଳିଥିଲା | ଯେତେବେଳେ ସମସ୍ତେ ଜିତେନ୍ଦ୍ରଙ୍କୁ ଏବାବଦରେ ପଚାରିଥିଲେ ସେ ଏହି ସେରୱାନି ସହ ଜଡିତ ସୁନ୍ଦର କାହାଣୀଟିଏ କହିଥିଲେ | ଏହି ସେରୱାନି ସେ ତାଙ୍କ ମା'ଙ୍କ ବମକାଇ ପାଟରେ ତିଆରି କରିଥିଲେ | ମା'ଙ୍କର ୨୫ ବର୍ଷ ତଳର ଏହି ଶାଢ଼ି ତାଙ୍କ ଭଉଣୀ ମା'ଙ୍କୁ ଉପହାର ଭାବେ ଦେଇଥିବାବେଳେ ଏଥିରେ ସେରୱାନି କରିଥିଲେ ଜିତେନ୍ଦ୍ର | ଆପଣ ବି ଭାବୁଥିବେ ଯେ ଶାଢ଼ିରେ ସେରୱାନି ତିଆରି କରି କାହିଁକି ପିନ୍ଧିଥିଲେ | ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |

ଜିତେନ୍ଦ୍ର କହିଥିଲେ ଯେ, 'ମା ସୌଦାମିନୀ ମିଶ୍ରଙ୍କୁ ୭୫ ବର୍ଷ ଏବେ ହୋଇଥିବାବେଳେ ବୟସାଧିକ୍ୟ ଯୋଗୁଁ ମୋ ସହ ଯାଇପାରନ୍ତି ନାହିଁ | କିନ୍ତୁ ମୋ ଜୀବନର ହିରୋ ମୋ ମା, ଆଉ ମୁଁ ଚାଁହୁଥିଲି ଯେ ମୁଁ ଯୁଆଡେ ବି ଯାଏ, ସେ ବି ମୋ ସହ ଯିବ | ଆଉ ମୋ ମାଙ୍କ ପ୍ରିୟର ଏହି ଶାଢ଼ିରେ ମୁଁ ସେରୱାନି ତିଆରି କରିଛି ଆଉ ଯେବେ ବି ଏହାକୁ ପିନ୍ଧେ ସେବେ ଲାଗେ ଯେ ମୋ ମା ବି ମୋ ସହ ଅଛି' | 

ଜିତେନ୍ଦ୍ରଙ୍କ କହିବା କଥା ଯେ ମୋ ମା କେବେ ବି ସ୍କୁଲ ପିଣ୍ଡା ମାଡ଼ିନଥିଲେ ବି କେମିତି ତାଙ୍କ ପିଲାମାନେ ଶିକ୍ଷିତ ହେବେ ତାହାକୁ ଗୁରୁତ୍ୱ ଦେଇଛନ୍ତି | ଆଜି ମୁଁ ଯେଉଁଠି ବି ପହଂଚିପାରିଛି ସେଥିପାଇଁ କେବଳ ମୋ ମା'ର ହାତ ରହିଛି | ମୋତେ ଲାଗେ ସ୍କୁଲ ଶିକ୍ଷା ଅପେକ୍ଷା ଜୀବନରୁ ଶିକ୍ଷା ନେବା ବହୁତ ଗୁରୁତ୍ୱପୂର୍ଣ୍ଣ | ଉଲ୍ଲେଖ ଥାଉ କି ସାମାଜିକ ଓ ପରିବେଶ ସମ୍ପର୍କିତ କାଟାଗୋରିରେ ବେଷ୍ଟ ନନ-ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଥିଲା 'ଦି ସାଇଲେଣ୍ଟ ଏପିଡେ଼ମିକ' | ଆଉ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ନିର୍ମାତା ଭାବରେ ଜିତେନ୍ଦ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ |