ଭୁବନେଶ୍ୱର: ଚିକମିକ ଆଲୁଅରେ ଝଲସି ଉଠେ ମଞ୍ଚ, ଡାଇଲଗର ଯାଦୁରେ ବିମୋହିତ ହୁଏ ଦର୍ଶକ | ହସ-ଲୁହ, ପ୍ରେମ-ପ୍ରତାରଣାର ଦୃଶ୍ୟରେ କେବେ ଦର୍ଶକ ଭାବୁକ ହୁଏ ତ କେବେ ପୁଣି କଳ୍ପନା ରାଇଜକୁ ବି ଚାଲିଯାଏ | ଜୀବନ୍ତ ଅଭିନୟର ମଞ୍ଚରେ ଅଭିନୟ କରୁଥିବା ସେହି ମଣିଷ କିନ୍ତୁ କେତେ ଦୁଃଖକୁ ନିଜ ହୃଦୟରେ ଚାପି ଅଭିନୟ କରେ କେବେ ଭାବିଛନ୍ତି କି? ଯେଉଁ ନାଟକରେ କଳାକାରଟିଏ ଅଭିନୟ କରେ ସେହି ନାଟକ ବି ତା ଜୀବନରେ ସତ ହୋଇଯାଏ | ଠିକ ସେମିତି ଏକ ଦୃଶ୍ୟ ଗତକାଲି କଟକର ମାଣିଆବନ୍ଧରେ ଦେଖିବାକୁ ମିଳିଥିଲା |
କୋଣାର୍କ ଗଣନାଟ୍ୟର ନାଟକ 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ' ମଞ୍ଚସ୍ଥ ହେବାର ଥିଲା, ଆଉ ଏହି ସମୟରେ ଏହାର ମୁଖ୍ୟ ଅଭିନେତା ଜିତେନ୍ଦ୍ରିୟ ଦାଶଙ୍କ ପାଖକୁ ଆସିଲା ଫୋନ କଲ | ଫୋନ ଘରୁ ଆସିଥିଲା, ଆଉ ସେପଟୁ ଜଣେ କହିଲେ ଜିତୁରେ ବାପା ଆଉ ନାହାନ୍ତି | ମାସେ ବି ପୁରିନଥିଲା, ମା ବି ଛାଡ଼ିଚାଲିଦେଇଥିଲେ | ମାଙ୍କ ଶୁଦ୍ଧିକ୍ରିୟା କରି ମଞ୍ଚକୁ ଫେରିଥିଲେ ଜିତୁ, ଆଉ ହଠାତ ବାପାଙ୍କ ମୃତ୍ୟୁ ଖବର ଶୁଣିଥିଲେ |
କଣ ବା କରିବେ, ଦର୍ଶକ ଭଗବାନ ଅପେକ୍ଷା କରି ରହିଥିଲେ, ସେପଟେ ବାପାଙ୍କ କୋକେଇ ପ୍ରସ୍ତୁତ ହେଉଥିଲା, ଆଉ ଶେଷରେ ମୁହଁରେ ପାଉଡର ମାଖି, ହୃଦୟରେ ଅସରନ୍ତି କୋହକୁ ଚାପି ଶେଷରେ ଅଭିନୟ କରିବାକୁ ଆସିଥିଲେ ଜିତୁ | ବଡ କଥା ଯେ ଗତ ୮ ତାରିଖରେ ଜିତୁଙ୍କ ମା ବି ଚାଲିଯାଇଥିଲେ | ସେଦିନ ଅନୁଗୁଳରେ ବି ସେ ମଂଚରେ 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ' ନାଟକରେ ଅଭିନୟ କରୁଥିବାବେଳେ ଗତକାଲି ବାପାଙ୍କ ମୃତ୍ୟୁ ଖବର ବି ସେହି ନାଟକ ସମୟରେ ଆସିଥିଲା |
ବାପାଙ୍କୁ ହରାଇବା ପରେ ଛଳଛଳ ଆଖିରେ ଜିତୁ କହିଥିଲେ ଯେ 'ଏମିତି ହତଭାଗ୍ୟ ପୁଅ, ଶେଷ ସମୟରେ ଟିକେ ଗଙ୍ଗାଜଳ ବି ଦେଇପାରିଲିନି | ତାଙ୍କ ଶବରେ କାନ୍ଧ ବି ଦେଇପାରିଲିନି | ଏସବୁ ପରେ ବି ଆପଣଙ୍କ(ଦର୍ଶକ) ଆଶୀର୍ବାଦ ଟିକେ ଦରକାର | ଆପଣଙ୍କ ଆଶୀର୍ବାଦ ବଳରେ ହିଁ ଧୈର୍ଯ୍ୟର ସହ ଆପଣଙ୍କ ମନୋରଞ୍ଜନ କରିପାରିବି' |