ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ ଜାମିନ

କୋର୍ଟରେ ବୟାନ ବଦଳାଇଲେ ନାବାଳିକା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କର୍ପୋରେଟର୍ ତଥା ବିଜେପି ନେତା କାର୍ତ୍ତିକ ସୁନ୍ଦରାୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଜାମିନ ପାଇଛନ୍ତି। ୧୦ହଜାର ଟଙ୍କାର ବେଲ୍ ବଣ୍ଡ୍ ଓ ୨ଜଣ ଜାମିନଦାର୍ ବଦଳରେ କାର୍ତ୍ତିକଙ୍କୁ ଗତ ମାସ ୨୮ତାରିଖର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୁଷ୍କର୍ମ ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ କାର୍ତ୍ତିକ ତଦନ୍ତରେ ସହଯୋଗ କରିବେ ବୋଲ ସର୍ତ୍ତ ରହିଛି। ସର୍ତ୍ତରେ ଖିଲାପ କଲେ ଯେକୌଣସି ମୁହୂର୍ତ୍ତରେ ଜାମିନ ଖାରଜ କରି ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକା କୋର୍ଟରେ ବୟାନ ବଦଳାଇବାରୁ ଜାମିନ୍ ମଞ୍ଜୁର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ମେ ୨୦ ତାରିଖରେ ଭରତପୁର ଥାନାରେ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଭରତପୁର ଥାନା ପୁଲିସ ସିଆର୍‌ପିସି ୧୬୧ ଅନୁଯାୟୀ ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା। ବୟାନରେ ନାବାଳିକା ତାଙ୍କୁ ଦୁଷ୍କର୍ମ ହୋଇଥିବା ସ୍ବୀକାର କରିଥିଲେ ଏବଂ ନିୟମ ଦୃଷ୍ଟିରୁ ଏସବୁ ଭିଡିଓ ରେକର୍ଡ କରାଯାଇଥିଲା। ତେଣୁ ନାବାଳିକାଙ୍କ ବୟାନ ଆଧାରରେ, ଭରତପୁର ଥାନା ପୁଲିସ ଆଇପିସି ୩୭୬ ଏବଂ ପୋକ୍‌ସୋ ଆକ୍ଟ୍‌ର ସେକ୍ସନ୍ ୪ରେ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାକୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ଦାଖଲ କରାଯାଇଥିଲା। ଏହା ପରେ ସିଆର୍‌ପିସି ୧୬୪ ଅନୁଯାୟୀ, ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ମାତ୍ର ନାବାଳିକା ଅଭିଯୋଗ ଓ ପୂର୍ବ ବୟାନକୁ କୋର୍ଟରେ ବଦଳାଇଥିଲେ। ଫଳରେ କାର୍ତ୍ତିକଙ୍କ ବିରୋଧରେ ଲାଗିଥିବା ଦଫା କୋହଳ ହୋଇଥିଲା ଏବଂ ମୁକୁଳିବା ବାଟ ଖୋଲିଯାଇଥିଲା। ଯାହା ଦ୍ବାରା କାର୍ତ୍ତିକ ମାତ୍ର ୩୯ଦିନ ମଧ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଭଳି ଏକ ସଙ୍ଗିନ ମାମଲାର ଜାମିନ ପାଇଛନ୍ତି।

ସନ୍ଦେହରେ ପୁଲିସ ଭୂମିକା

ବିଜେପି ନେତା କାର୍ତ୍ତିକ ସୁନ୍ଦରାୟଙ୍କ ବିରୋଧରେ ଗତ ମେ ୨୦ତାରିଖରେ ଭରତପୁର ଥାନାରେ ନାବାଳିକା ଦୁଷ୍କର୍ମର ଅଭିଯୋଗ ହୋଇଥିଲା ଏବଂ ସେହିଦିନ ମାମଲା ମଧ୍ୟ ରୁଜୁ ହୋଇଥିଲା। ମାମଲା ରୁଜୁ ହେବାର ମାତ୍ର ସପ୍ତାହକ ମଧ୍ୟରେ କାର୍ତ୍ତିକ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ଜାମିନ୍ ପାଇଁ ଆବେଦନ କରିଥିଲେ। ହେଲେ କମିସନରେଟ୍ ପୁଲିସ ଏହି ୭ଦିନ ମଧ୍ୟରେ ତାଙ୍କୁ ଖୋଜିପାଇଲା ନାହିଁ। ଏହାଠୁ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, କାର୍ତ୍ତିକ ଜାମିନ ଆବେଦନ କରିବାର ପ୍ରାୟ ୩୨ଦିନ ପରେ ହାଇକୋର୍ଟରୁ ଜାମିନ ପାଇଥିଲେ। ସପ୍ତାହେ କଥା ଦୂରରେ ଥାଉ ଜାମିନ ଆବେଦନ ହେବାର ମାସେ ଏବଂ ମାମଲା ରୁଜୁ ହେବାର ପ୍ରାୟ ୩୯ଦିନ ପର୍ଯ୍ୟନ୍ତ ପୁଲିସ ତାଙ୍କର ପତ୍ତା ପାଇଲା ନାହିଁ। ଫଳରେ ନାବାଳିକା ଦୁଷ୍କର୍ମ ପରି ସମ୍ବେଦନଶୀଳ ଘଟଣାରେ ପୁଲିସ୍‌ର ଭୂମିକା ସନ୍ଦେହ ଘେରକୁ ଆସିଛି।

ସମ୍ବନ୍ଧିତ ଖବର